ପ୍ରବଳ ରୌଦ୍ରତାପ ଯୋଗୁଁ ବାଘକୁ ଅଂଶୁଘାତ ! ଚିକିତ୍ସା କରୁଛି ବନ ବିଭାଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରବଳ ରୌଦ୍ରତାପ ଯୋଗୁଁ ବାଘକୁ ଅଂଶୁଘାତ ! ନୂଆପଡ଼ା ଜିଲ୍ଲା ଧରମାବାନ୍ଧ ସେକ୍ସନରେ ଏକ ଅସୁସ୍ଥ କଲରାପତରିଆ ବାଘକୁ କାବୁ କରିଛି ବନ ବିଭାଗ । ସିଲିଆରୀବାହାରା ଗାଁ ନିକଟ ଜଙ୍ଗଲରୁ ବାଘକୁ କାବୁ କରି ବନ କର୍ମଚାରୀ ଚିକିତ୍ସା କରୁଛନ୍ତି । ତେବେ ପ୍ରବଳ ଖରା ଯୋଗୁଁ କଲରାପତରିଆ ଅସୁସ୍ଥ ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି । ସିଲାରିବାହାରା ଗାଁ ପାଖ ଜଙ୍ଗଲରେ ବାଘ ଅସୁସ୍ଥ ହୋଇ ବୁଲୁଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ବାଘକୁ କାବୁ କରି ଚିକିତ୍ସା କରୁଛି । ଶନିବାର କଲମିଦାଦରରେ ଏକ ବାଛୁରୀକୁ ବାଘ  ଖାଇଥିବା ବେଳେ ଆଜି ପାୱାରତଲା ଗାଁରେ ଆଉ ଏକ ବାଛୁରୀକୁ ଖାଇଥିବା ଅଭିଯୋଗ ହୋଇଥିଲା । ଅସୁସ୍ଥ କଲରାପତରିଆକୁ ଜାଲ ପକାଇ କାବୁ କରିଛନ୍ତି ବନ ବିଭାଗ କର୍ମଚାରୀ । ଚିକିତ୍ସା ଚାଲିଥିବା ବେଳେ କଲରାପତରିଆର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଗତ ୨ ମାସ ହେଲା ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ ଲାଗି ରହିଥିବା ବେଳେ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ବାଘକୁ ମଧ୍ୟ ସୁରକ୍ଷା ଯୋଗାଇ ଦେବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଛି ।

ଏପଟେ ଆଜି ରାଜ୍ୟରେ ତାପମାତ୍ରା ସାମାନ୍ୟ କମିଥିବା ବେଳେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଛି । ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ଆଜି ୪୧ ଡିଗ୍ରୀ ଉପରେ ୧୦ ସହର ରହିଥିବା ବେଳେ ୪୨ ଡିଗ୍ରୀ ଟପିଛି ୪ ସହର । ବୌଦ୍ଧର ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪୨.୪ ଡିଗ୍ରୀ, ତାଳଚେରରେ ୪୨.୨ ଡିଗ୍ରୀ, ସୁନ୍ଦରଗଡ଼, ଟିଟିଲାଗଡ଼ ଓ ମାଲକାନଗିରିରେ ୪୧.୫ ଡିଗ୍ରୀ, ବଲାଙ୍ଗିରରେ ୪୧.୨ ଡିଗ୍ରୀ, ଅନୁଗୁଳରେ ୪୧.୧ ଡିଗ୍ରୀ ଓ ରାଉରକେଲାରେ ପାରଦ ୪୧ ଡିଗ୍ରୀ ରହିଛି । ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ପାରଦ ୪୦ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହେବ । ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୭ ତାରିଖ ଲାଗି ଘଡ଼ଘଡ଼ି ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ୧୮ ତାରିଖରେ ୧୧ ଜିଲ୍ଲା, ୧୯ ତାରିଖରେ ୧୫ ଜିଲ୍ଲା, ୨୦ ତାରିଖରେ ୨୩ ଜିଲ୍ଲାକୁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.