ନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତ୍ତେ ଆୟ ବହୁ ପରିମାଣରେ କମି କମି ଯାଉଛି : କଂଗ୍ରେସ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ସରକାର ଓଡ଼ିଶାର କୃଷକଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ବହୁ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ୨୦୧୨-୧୩ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଦୃଢ଼କ୍ତି ପ୍ରକାଶ କରି କହିଥିଲେ, ସାରା ଭାରତ ବର୍ଷରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠି ରାଜ୍ୟ କୃଷକ ମାନଙ୍କର ଆୟକୁ ସରକାର ଦ୍ୱିଗୁଣିତ କରିଛନ୍ତି ବୋଲି କିନ୍ତୁ ବାସ୍ତବ ଚିତ୍ର ଆଜି ଯାହା ବର୍ଣ୍ଣନା କରୁଛି ତାହା ରାଜ୍ୟର ନବୀନ ସରକାରଙ୍କର ଦୃଢ଼କ୍ତି ଏକ ବୃଥା ଆସ୍ଫଳନ ବୋଲି ପ୍ରମାଣିତ କରୁଛି । ୨୦୧୨-୧୩ ମସିହା ଠାରୁ ଆରମ୍ଭ କରି ୨୦୨୨-୨୩, ଏହି ୧୦ ବର୍ଷ ଭିତରେ ରାଜ୍ୟର କୃଷକ ପରିବାରର ମାସିକ ଆୟ ଦ୍ୱିଗୁଣିତ ହେବା ପରିବର୍ତେ ୨୦୧୨-୧୩ ମସିହା ଆୟ ଠାରୁ ୩ ଟଙ୍କା କମିଛି ବୋଲି ଆଜି ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ପ୍ରଦେଶ କଂଗ୍ରେସ ଭବନରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ରଜନୀ କୁମାର ମହାନ୍ତି କହିଥିଲେ ଯେ, ୨୦୧୨-୧୩ ମସିହାରେ ଏନ୍.ଏସ୍.ଏସ୍. ଓ. ରିପୋର୍ଟର ତଥ୍ୟ ଆଧାରରେ ଓଡ଼ିଶାର ଏକ କୃଷକ ପରିବାରର ମାସିକ ଆୟ ୪୯୫୩ ଟଙ୍କା ଥିଲା । କିନ୍ତୁ ୨୦୨୨ ମସିହାରେ ରାଜ୍ୟର ଏକ କୃଷକ ପରିବାରର ବାର୍ଷିକ ଆୟ ୫୯୪୪୦ ଟଙ୍କା ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଏହି ହିସାବ ଅନୁପାତରେ ଗୋଟେ କୃଷକ ପରିବାର ମାସକୁ ଆୟ ୪୯୫୦ ଟଙ୍କା ପାଖାପାଖି ଅଟେ । ଅର୍ଥାତ ଏହି ଦଶ ବର୍ଷ ଭିତରେ ନବୀନ ପଟ୍ଟନାୟକ ସରକାର କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବାରେ ସଫଳ ହୋଇନାହାନ୍ତି ବୋଲି ଏହି ତଥ୍ୟରୁ ସ୍ପଷ୍ଟ ପ୍ରମାଣିତ ହେଉଛି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ୨୦୧୮ -୨୦୧୯ ମସିହାରେ ଏନ୍.ଏସ୍.ଏସ୍.ଓ. ତଥ୍ୟ ଅନୁସାରେ ଓଡ଼ିଶାର ଏକ କୃଷକ ପରିବାରର ମାସିକ ଆୟ ୫୧୧୨ ଟଙ୍କା ଥିଲା ଏବଂ ଓଡ଼ିଶା ଭାରତ ବର୍ଷର ଦ୍ୱିତୀୟ ନ୍ୟୁନତମ ଆୟକାରୀ ରାଜ୍ୟ ରୂପେ ପରିଗଣିତ ହେଲା । କିନ୍ତୁ ସେହି ସମୟରେ ଭାରତ ବର୍ଷର ବହୁ ଛୋଟ ଛୋଟ ରାଜ୍ୟମାନଙ୍କର କୃଷକ ମାନଙ୍କର ଆୟ ଓଡ଼ିଶାର କୃଷକ ମାନଙ୍କର ଆୟ ଠାରୁ ବହୁ ଅଧିକ । ଛତିଶଗଡ଼ ଏକ କୃଷକ ପରିବାରର ଆୟ ୭୫୪୨ ଟଙ୍କା, ତ୍ରିପୁରାରେ ୯୯୧୮ ଟଙ୍କା, ନାଗାଲାଣ୍ଡରେ ୮୮୭୭ ଟଙ୍କା ଥିଲାବେଳେ ରାଜସ୍ଥାନରେ ୧୨୫୨୦ ଟଙ୍କା । ଓଡ଼ିଶାରେ ଏଭଳିସ୍ଥିତ କାହିଁକି ବୋଲି ରଜନୀ ମହାନ୍ତି ପ୍ରଶ୍ନ କରିଛନ୍ତି? ୭୭ତମ ଏନ୍.ଏସ୍.ଏସ୍.ଓ ରିପୋର୍ଟ ଅନୁସାରେ ଓଡ଼ିଶାରେ ଗୋଟିଏ କୃଷକ ପରିବାର ଦିନକୁ ମାତ୍ର ୧୭୦ ଟଙ୍କା ରୋଜଗାର କରନ୍ତି କିନ୍ତୁ ରାଜ୍ୟ ସରକାର କୃଷକମାନଙ୍କର ଆୟ ଦ୍ୱିଗୁଣିତ ହୋଇଛି ବୋଲି ଡିଣ୍ଡିମୋ ପିଟିବା ଏକ ହାସ୍ୟାସ୍ପଦ କଥା ।
ସତ କିଏ କହୁଛି, ଯଦି ରାଜ୍ୟରେ ପ୍ରକୃତରେ କୃଷକମାନଙ୍କର ଆୟ ଦ୍ୱିଗୁଣିତ ହୋଇଛି ତାହାଲେ ଏଭଳି ତଥ୍ୟ କାହିଁକି ପ୍ରକାଶ ପାଉଛି । ୨୦୧୮-୧୯ ମସିହାରେ ଆୟକୁ ହିସାବକୁ ନେଲେ ୨୦୨୨ ମସିହାରେ କୃଷକ ପରିବାରର ଆୟ ୬୨ ଟଙ୍କା କମିଗଲାଣି । ୨୦୦୦ ମସିହାରୁ ଆଜିପର୍ଯ୍ୟନ୍ତ ନବୀନ ସରକାର କୃଷକ ମାନଙ୍କର ଆୟକୁ ଦ୍ୱିଗୁଣିତ କରିବା ପାଇଁ ତିନି ତିନିଥର ଧାର୍ଯ୍ୟ ସମୟ ସ୍ଥିର କରିଥିଲେ ସୁଧା ଏହା ସମ୍ଭବ ହୋଇନାହିଁ । ରାଜ୍ୟର ଏ ପର୍ଯ୍ୟନ୍ତ କେତେ ସଂଖ୍ୟାକ କୃଷକ ଅଛନ୍ତି ଏବଂ କେତେ ସଂଖ୍ୟକ କୃଷି ଶ୍ରମିକ ଅଛନ୍ତି ଏମାନଙ୍କର ସଠିକ୍ ତଥ୍ୟ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ରାଜ୍ୟ ସରକାର କେତେବେଳେ କହୁଛନ୍ତି ୪୨ ଲକ୍ଷ କୃଷକ ପରିବାର ଅଛନ୍ତି, କେତେବେଳେ ୫୩ ଲକ୍ଷ କୃଷକ ପରିବାର ଅଛନ୍ତି ।
ଯେଉଁ ରାଜ୍ୟ ସରକାରଙ୍କ ପାଖରେ ଏହି ତଥ୍ୟଟି ନାହିଁ ସେଠି କୃଷକମାନଙ୍କର ଆୟ କିଭଳି ଦ୍ୱିଗୁଣିତ ହେବ ସେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ସରକାର ସମୟରେ ଯେତେଗୁଡ଼ିକ କୃଷିଭିତିକ ଶିଳ୍ପ ହୋଇଥିଲା ସେ ସବୁ ଏ ସରକାର ସମୟରେ ବନ୍ଦ ହୋଇଗଲା । ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗର ସ୍ୱପ୍ନ ଦେଖାଯାଉଛି କିନ୍ତୁ ରାଜ୍ୟରେ ଗୋଟିଏ ବୋଲି କୃଷିଭିତିକ ଶିଳ୍ପ ବା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଗତ ୨୩ ବର୍ଷ ଭିତରେ ପ୍ରତିଷ୍ଠା କରାଯାଇପାରିଲେ ନାହିଁ । ୨୦୧୮ ମସିହା ଡିସେମ୍ବର ମସିହାରେ ରାଜ୍ୟ ସରକାର କାଳିଆ ଯୋଜନା ପ୍ରଣୟନ କଲେ ଏବଂ ଏହି ଯୋଜନା ଦ୍ୱାରା କୃଷକମାନଙ୍କର ଆୟ ବୃଦ୍ଧି ଘଟିବ ଏବଂ କୃଷକ ମାନେ ଋଣଗ୍ରସ୍ତ ହେବେ ନାହିଁ ବୋଲି ସରକାର ଦୃଢ଼କ୍ତି ପ୍ରକାଶ କଲେ ।
ଯୋଜନାକୁ ୫ ବର୍ଷ ହେଲାଣି । କିନ୍ତୁ କୃଷକମାନଙ୍କର ଆୟ ବୃଦ୍ଧି ଘଟିବା ପରିବର୍ତେ କମିଯାଉଛି କାହିଁକି? ତେଣୁ ଏହି ଯୋଜନା କେବଳ ନିର୍ବାଚନ ଜିତିବା ପାଇଁ ପ୍ରଣୟନ କରାଯାଇଥିଲା କି? ରାଜ୍ୟ ସରକାର ରାଜ୍ୟରେ କାଳିଆ ଯୋଜନା ଦ୍ୱାରା କେତେ କୃଷକ ପରିବାରଙ୍କର ଆୟ ବୃଦ୍ଧି ଘଟିଛି, କେତେ କୃଷି ଶ୍ରମିକଙ୍କର ଆୟ ଦ୍ୱିଗୁଣିତ ହୋଇଛି ତାହାର ଏକ ଶ୍ୱେତପତ୍ର କରନ୍ତୁ ବୋଲି କଂଗ୍ରେସ ଦାବୀ କରିଛି । ଗତ କିଛି ଦିନ ତଳେ ରାଜ୍ୟ କୃଷିମନ୍ତ୍ରୀ ପୁଣି ଆଉଥରେ କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ଦୋହରାଇଛନ୍ତି । ସେ କହିଛନ୍ତି ପ୍ରତିବର୍ଷ ୧ ଲକ୍ଷ କୃଷକଙ୍କର ଆୟକୁ ଦ୍ୱିଗୁଣିତ କରାଯିବ ଏବଂ ଆସନ୍ତା ୩ ବର୍ଷ ଭିତରେ ୩ ଲକ୍ଷ ଲୋକଙ୍କର ଆୟ ଦ୍ୱିଗୁଣିତ କରାଯିବ ।
୧୦ ବର୍ଷ ଭିତରେ ଆୟ ଦ୍ୱିଗୁଣିତ କରାଯାଇପାରିଲା ନାହିଁ କିନ୍ତୁ ଏହି ୩ ବର୍ଷ ଭିତରେ ୩ ଲକ୍ଷଙ୍କର ଆୟ ଦ୍ୱିଗୁଣିତ କରାଯିବ ବୋଲି କହିବା ଏହା ଏକ ନୂଆ ରାଜନୈତିକ ଚାଲ । ପ୍ରଦେଶ କଂଗ୍ରେସ କିଷାନ ସେଲ୍ର ସଭାପତି ଅମୀୟ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ଯେଉଁ ସରକାର କୃଷକମାନଙ୍କୁ ଉନ୍ନତମାନର ବିହନ ଏବଂ ସାର, କିଟନାଶକ ଯୋଗାଇ ଦେଇପାରୁନାହିଁ । ସେ କିଭଳି କୃଷକମାନଙ୍କର ଆୟକୁ ଦ୍ୱିଗୁଣିତ କରିବ । ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଗଲା । ପ୍ରଦେଶ କଂଗ୍ରେସ ସଭାପତି ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକର ପତ୍ରାପଲ୍ଲିରେ ଅକ୍ଷିମୁଠି ଅନୁକୂଳ କରିବା ସହିତ କୃଷକମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଏହି ଖରିଫ୍ ଋତୁ ପାଇଁ ରାଜ୍ୟର ୧୨ ଲକ୍ଷ ଟନର ଧାନ ବିହନର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟ ସରକାରଙ୍କ ପାଖରେ ଏପର୍ଯ୍ୟନ୍ତ ୧ ଲକ୍ଷ ଟନର ଧାନ ବିହନ ନାହିଁ । ତେଣୁ ଚାଷୀମାନଙ୍କୁ କିଭଳି ବିହନ ଯୋଗା ଯାଇପାରିବ ଏଥିରୁ ଅନୁମାନ କରାଯାଉ ।
ପ୍ରଦେଶ କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ କହିଥିଲେ ଯେ, ରାଜ୍ୟରେ କୃଷକ ମାନଙ୍କର ଆୟକୁ ଦ୍ୱିଗୁଣିତ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ନିଷ୍ଠା ନାହିଁ । ଯଦି ପ୍ରକୃତରେ ରାଜ୍ୟ ସରକାର କୃଷକମାନଙ୍କର ଆୟକୁ ଦ୍ୱିଗୁଣିତ କରିବାକୁ ଚାହୁଁଛନ୍ତି ତାହାଲେ ରାଜ୍ୟରେ ଅଧିକ ଶୀତଳ ଭଣ୍ଡାର ସ୍ଥାପନ ସହିତ କୃଷି ଉତ୍ପାଦିତ ଦ୍ରବ୍ୟର ମୂଲ୍ୟଯୁକ୍ତ କରାଯିବା ସହିତ ଏଥିପାଇଁ ରାଜ୍ୟରେ ସ୍ୱତନ୍ତ୍ର ବଜାର ସୃଷ୍ଟି କରିବା ଉଚିତ୍ । କୃଷିଭିତିକ ଶିଳ୍ପ ମଧ୍ୟ ରାଜ୍ୟରେ ଅଧିକ ସ୍ଥାପନ କରିବା ଉଚିତ୍ । ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ୟତମ ପ୍ରଦେଶ କଂଗ୍ରେସ ମୁଖ୍ୟପାତ୍ର ପ୍ରଶାନ୍ତ ଶତପଥି ଧନ୍ୟବାଦ ଦେବା ସହିତ କୃଷକମାନଙ୍କର ଆୟକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କର ନିଷ୍ଠା ନାହିଁ ବୋଲି କହିଥିଲେ।