ଓଡ଼ିଆ ନ୍ୟୁଜ୍: ଜାପାନରେ ଭୂମିକମ୍ପ ଝଟକ। ଆଜି ସନ୍ଧ୍ୟାରେ ଉତ୍ତର ଜାପାନ (Japan)ରେ ୬.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି ଏବଂ ଏହା ପରେ ମଧ୍ୟ ଅନେକ ଥର କମ୍ପନ ଅନୁଭୂତ ହୋଇଥିଲା। ଏହା ପରେ ଜାପାନ ପାଣିପାଗ ସଂସ୍ଥା ଜାପାନରେ ସୁନାମି ଚେତାବନୀ ଜାରି କରାଯାଇଛି । ସଂସ୍ଥା କହିଛି ଯେ ଇୱାଟେ ପ୍ରିଫେକ୍ଚରର ଉପକୂଳରେ ସମୁଦ୍ରରେ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ହୋଇଥିଲା। ଏପର୍ଯ୍ୟନ୍ତ, ଏହି ଅଞ୍ଚଳରେ ଥିବା ଦୁଇଟି ପରମାଣୁ ଶକ୍ତି କେନ୍ଦ୍ରରେ କୌଣସି କ୍ଷତି ହେବାର କୌଣସି ରିପୋର୍ଟ ମିଳିନାହିଁ।
ଭୂମିକମ୍ପ ପରେ ତୁରନ୍ତ, ଜାପାନ ପାଣିପାଗ ସଂସ୍ଥା ସତର୍କ କରିଥିଲା ଯେ ୧ ମିଟର (୩ ଫୁଟ) ଉଚ୍ଚତା ପର୍ଯ୍ୟନ୍ତ ସୁନାମି ତରଙ୍ଗ ଉତ୍ତର ଉପକୂଳ ଅଞ୍ଚଳକୁ ଛୁଇଁପାରେ। ଭୂମିକମ୍ପ ହେବା ପରେ ଏହି ଚେତାବନୀ ଏକ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଜାପାନର ସରକାରୀ ନ୍ୟୁଜ ଚ୍ୟାନେଲ ଏନଏଚକେ ଲୋକମାନଙ୍କୁ ଉପକୂଳ ଅଞ୍ଚଳରୁ ଦୂରେଇ ରହିବାକୁ ଅନୁରୋଧ କରିଛି, କାରଣ ସୁନାମି ତରଙ୍ଗ ଯେକୌଣସି ସମୟରେ ଆସିପାରେ। NHK ଆହୁରି ମଧ୍ୟ ସତର୍କ କରିଛି ପୁଣି ଥରେ ଭୂକମ୍ପ ଆସିପାରେ ।