ଗଞ୍ଜାମର ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ଘୋଡାହାଡ ଠାରେ ଇକୋ ଟୁରିଷ୍ଟ ସ୍ପଟ ଲୋକାର୍ପିତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ଘୋଡାହାଡ ଠାରେ ଇକୋ ଟୁରିଷ୍ଟ ସ୍ପଟକୁ ଲୋକାର୍ପିତ କରାଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ମୁଖ୍ୟ ବନପ୍ରାଣୀ ବନ ସଂରକ୍ଷକ ଶଶି ପଲ ଯୋଗଦେଇ ଏହାକୁ ଲୋକାର୍ପିତ କରିଥିଲେ । ବ୍ରହ୍ମପୁର ବନଖଣ୍ଡ ଅଧିନରେ ଏହା ପ୍ରଥମ ଇକୋ ଟୁରିଷ୍ଟ ସ୍ପଟ୍ ହୋଇଥିବା ବେଳେ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଗବେଷଣାରେ ସହାୟକ ହେବ ବୋଲି କୁହାଯାଇଛି ।

ଜଳଭଣ୍ଡାର କୁମ୍ଭୀରଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ପ୍ରତ୍ୟେକ ବର୍ଷ ଶୀତ ଋତୁରେ ଏଠାକୁ ବହୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ଯାହାକି ଏହି ଜଳ ଭଣ୍ଡାରର ଶୋଭାକୁ ବୃଦ୍ଧି କରିଥାଏ । ତେଣୁ ପର୍ଯ୍ୟଟକଙ୍କ ବୁଲିବା ପାଇଁ ଏହା ଏକ ଉତ୍କୃଷ୍ଟ କ୍ଷେତ୍ର ପାଲଟିବ ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୂଚନା ଦେଇଥିଲେ ।

ସେହିପରି ବର୍ତ୍ତମାନ ଏଠାରେ ଥିବା ୱାର୍ଚ୍ ଟାୱାରରେ ଚାରି ଗୋଟି ସୁଟ ରହିଥିବା ବେଳେ ଏହାର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗକୁ ପ୍ରଦାନ କରାଯାଇଛି । ମିଶନ ଶକ୍ତି ତରଫରୁ ସ୍ଥାନୀୟ ଖମ୍ବାରୀ ଗାଁ ଗ୍ରାମପଞ୍ଚାୟତର ମା’ ବାଙ୍କେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଏହିର ପରିଚାଳନା ଦାୟିତ୍ୱ ମିଳିଥିବା ବେଳେ ପୂର୍ବରୁ ମହିଳା ଗୋଷ୍ଠୀର ସଦସ୍ୟା ମାନେ ଭୁବନେଶ୍ୱର ସ୍ଥିତ ଆଇଏଚଏମରେ ଇଣ୍ଡିଆନ, ଚାଇନିଜ ଏବଂ କଣ୍ଟିନେଣ୍ଟାଲ ଖାଦ୍ୟ କିପରି ପ୍ରସ୍ତୁତ କରାଯିବ ସେ ନେଇ ପ୍ରଶିକ୍ଷଣ ନେଇଥିବା ସଂଘର ସଭାନେତ୍ରୀ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ୪୫ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ ଗୋଟିଏ ୱାର୍ଚ୍ ଟାୱାର ନିର୍ମିତ ହୋଇଥିବା ବେଳେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ଉତ୍ସାହକୁ ଦେଖି ସେମାନଙ୍କ ରହିବା ପାଇଁ ସୁବିଧା ଏବଂ କଟେଜ ସଂଖ୍ୟା ଆହୁରି ବୃଦ୍ଧି କରାଯିବ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସର୍କଲର ସମସ୍ତ ବନଖଣ୍ଡ ଅଧିକାରୀ, ଅତିରିକ୍ତ ବନସଂରକ୍ଷକ, ବ୍ରହ୍ମପୁର ବନଖଣ୍ଡର ସମସ୍ତ ବନାଞ୍ଚଳ ଅଧିକାରୀଙ୍କ ସମେତ ଚିକିଟି ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ ସଞ୍ଜିବ କୁମାର ଦାଶବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.