ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ସମନ୍‌ କଲା ଇଡି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ୍‌ କଲା ଇଡି। ଗୋଟିଏ ପଟେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ବିରୋଧୀ ମେଣ୍ଟରେ ଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ହାଜର ହେବାକୁ ସମନ କରିଛି। ଗୋଟିଏ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ ଏପରି ସମନ କରାଯାଇଛି। ତାଙ୍କୁ ଆସନ୍ତା ୧୪ ତାରିଖରେ ରାଞ୍ଚିର ଇଡି ଅଫିସରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ କୁହାଯାଇଛି। କେଉଁ ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ସମନ କରିଛି, ସେକଥା ଜଣାପଡ଼ିନି। କିନ୍ତୁ ଜମି କାରବାର ମାମଲାରେ ଇଡି ରୁଜୁ କରିଥିବା ଗୋଟିଏ ମନି ଲଣ୍ତରିଂ ମାମଲାରେ ଇଡି ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଜାଣିବା ପାଇଁ ସମନ କରିଥିବା କୁହାଯାଇଛି।

ପୂର୍ବରୁ ବେଆଇନ ଖଣି ଖନନ ମାମଲାରେ ହେମନ୍ତ ସୋରେନଙ୍କୁ ଗତବର୍ଷ ନଭେମ୍ବରରେ ଇଡି ଜେରା କରିଥିଲା। ରାଞ୍ଚି ଅଫିସରେ ଦୀର୍ଘ ୧୦ ଘଣ୍ଟା କାଳ ଇଡିର ଅଧିକାରୀମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ଏବେ ଜମି କାରବାର ମାମଲାରେ ଇଡି ତାଙ୍କୁ ପୁଣି ସମନ କରିଛି। ବିରୋଧୀ ମେଣ୍ଟ ଗଠନ କରିଥିବା ଇଣ୍ଡିଆର ଜଣେ ସକ୍ରିୟ ଦଳ ହେଉଛି ଜେଏମଏମ। ଏହାର ମୁଖ୍ୟ ହେଉଛନ୍ତି ହେମନ୍ତ ସୋରେନ। ଇଣ୍ଡିଆ ମେଣ୍ଟ ମୋଦି ସରକାର ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିଛି। ଏହାକୁ ଜେଏମଏମ ମଧ୍ୟ ସମର୍ଥନ କରିଛି। ଆଜି ଲୋକସଭାରେ ଏହା ଉପରେ ଆଲୋଚନା ଚାଲିଥିବା ବେଳେ ହେମନ୍ତ ସୋରେନଙ୍କୁ ଇଡି ସମନ କରିଛି।

Leave A Reply

Your email address will not be published.