ଓଡିଆ ନ୍ୟୁଜ୍(ବ୍ୟୁରୋ): ୟୁକ୍ରେନ -ରୁଷ ଯୁଦ୍ଧ ଘନଘଟା ମଧ୍ୟରେ ଶାନ୍ତି ଫେରାଇବାକୁ ପ୍ରୟାସ ଆରମ୍ଭ। ୟୁକ୍ରେନ-ରୁଷ ମଧ୍ୟରେ ଶାନ୍ତି ଆଲୋଚନା କଥାବାର୍ତ୍ତା ବେଲାରୁଷ ସୀମାରେ ଆରମ୍ଭ ହୋଇଛି। ଦୁଇ ଦେଶର ପ୍ରତିନିଧି ସ୍ତରୀୟ ଶାନ୍ତି ଆଲୋଚନାରେ ଭାଗ ନେଇଛନ୍ତି। ୟୁକ୍ରେନ ସହ ବୁଝାମଣା ପାଇଁ ରୁଷ ଚାହୁଁଥିବା ଜଣାପଡ଼ିଛି। ସେହିପରି ତୁରନ୍ତ ଯୁଦ୍ଧବିରତି ଓ ରୁଷିଆ ସେନା ୟୁକ୍ରେନରୁ ହଟିବା ଦୁଇ ଦେଶ ପ୍ରତିନିଧି ସ୍ତରୀୟ ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ୟୁକ୍ରେନ ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ କୁହାଯାଇଛି । ପ୍ରତିନିଧି ଦଳରେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓ ଉପ ବୈଦେଶିକ ମନ୍ତ୍ରୀ ସାମିଲ ଅଛନ୍ତି ।
ୟୁକ୍ରେନ୍ -ରୁଷ ମଧ୍ୟରେ ଚାଲିଛି ଜୋରଦାର ଲଢ଼େଇ । ଯୁଦ୍ଧରେ ୫ହଜାର ୩ଶହ ରୁଷ ସୈନ୍ୟ ପ୍ରାଣ ହରାଇଲେଣି। ୟୁକ୍ରେନରେ ଗୁଳିଗୋଳା ଓ ବୋମାମାଡ଼ ଜାରି ରହିଛି । ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଚାପ ପକାଇବାକୁ ସବୁ ବନ୍ଧୁ ରାଷ୍ଟ୍ରକୁ ୟୁକ୍ରେନ ପକ୍ଷରୁ ଅନୁରୋଧ କରାଯାଇଛି । ଏହା କହିଛନ୍ତି ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନର ରାଷ୍ଟ୍ରଦୂତ ଇଗୋର ପୋଖିଲା । ଯୁଦ୍ଧ ହେବା ପରେ ଏଭିତରେ ୪ ଲକ୍ଷରୁ ଅଧିକ ୟୁକ୍ରେନ ନାଗରିକ ଦେଶ ଛାଡ଼ି ପଳାଇଲେଣି । ଦେଶ ବାହାରକୁ ଯିବା ପାଇଁ ସୀମାରେ ଲକ୍ଷ ଲକ୍ଷ ଲୋକ ଲମ୍ବା ଲାଇନ ଲଗାଇଛନ୍ତି । ଏବେ ଯୁଦ୍ଧ ବନ୍ଦ ନହେଲେ ୭୦ ଲକ୍ଷରୁ ଅଧିକ ଲୋକ ଦେଶ ଛାଡ଼ି ପଳାଇବେ । ଏଥିଯୋଗୁଁ ୟୁରୋପରେ ଗୁରୁତର ମାନବୀୟ ସଙ୍କଟ ସୃଷ୍ଟି ହେବ ବୋଲି ୟୁକ୍ରେନ ରାଷ୍ଟ୍ରଦୂତ କହିଛନ୍ତି ।
ସେପଟେ ନିଜର ଜୀବନ ବଞ୍ଚାଇ ତୁରନ୍ତ ୟୁକ୍ରେନ ମାଟି ଛାଡ଼ିବାକୁ ରୁଷ ସେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି। ସେପଟେ ରୁଷ ସେନା ବିରୋଧରେ ଯୁଦ୍ଧ ପାଇଁ ବନ୍ଦୀମାନଙ୍କୁ ମୁକ୍ତ କରାଯିବ। ସାମରିକ ଅଭିଜ୍ଞତା ଥିବା ବନ୍ଦୀମାନେ ଇଚ୍ଛା ପ୍ରକାଶ କଲେ ସେମାନଙ୍କୁ ମୁକ୍ତ କରାଯିବ ବୋଲି କହିଛନ୍ତି ରାଷ୍ଟ୍ରପତି। ୟୁକ୍ରେନ ଉପରେ ରୁଷର ଆକ୍ରମଣରେ ୯୪ଜଣ ସାଧାରଣ ନାଗରିକଙ୍କ ଜୀବନହାନି ହୋଇଥିବା ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ସ୍ପଷ୍ଟ କରିଛି। ଏଥିରେ ୩୭୬ରୁ ଅଧିକ ନାଗରିକ ଆହତ ହୋଇଥିବା କୁହାଯାଇଛି।