କଟକ(ଓଡ଼ିଆ ନ୍ୟୁଜ୍): ବଡ଼ମ୍ବା ନରସିଂହପୁରରୁ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ନିଲମ୍ବିତ ହେବା ସହିତ ଗିରିଫ ହେଲେ ଆଉ ଜଣେ ଗାର୍ଡ । ବଡ଼ମ୍ବା ରେଞ୍ଜର ଫରେଷ୍ଟ ଗାର୍ଡ ପ୍ରଭାତ କୁମାର ପ୍ରଧାନ ନିଲମ୍ୱିତ ହେବା ସହିତ ଗରିଫ ହୋଇଛନ୍ତି । ଏହା ସହ ଦୁଇ ଜଣ ୱାଚରଙ୍କୁ ମଧ୍ୟ ଗରିଫ କରିଛି ବନବିଭାଗ । ବଡମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଠାବ କରିଥିଲା ଏସଟିଏଫ୍ । ପୁର୍ବରୁ ଏହି ଘଟଣାରେ ୬ ଜଣକୁ ଗରିଫ କରି କୋର୍ଟଚାଲାଣ କରିଥିଲା ବନ ବିଭାଗ ।
ସୂଚନା ଅନୁସାରେ, ୪ମାସରେ ୪ଟି ହାତୀ କଙ୍କାଳ ବଡ଼ମ୍ବା ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲ ଓ ନରସିଂହପୁର ୱେଷ୍ଟ ରେଞ୍ଜରୁ ବାହାରିବା ତଥା ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଯାହାକୁ ନେଇ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରାଯାଇଛି। ଏହି କମିଟି ତଦନ୍ତ କରି ବଡ଼ମ୍ବା ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ପାଦଦେଶରୁ ୩ଟି ହାତୀର ଗଳିତ ମୃତଦେହ ଓ କଙ୍କାଳ ବାହାରିବା ପରେ ଏହି ଘଟଣାରେ ବନବିଭାଗ ନିଜ ପକ୍ଷରୁ ମାମଲା ରୁଜୁ କରିଥିଲା। ଘଟଣାରେ ଜମି ମାଲିକଙ୍କ ସମେତ ୮ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।