ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ କରାଯିବ ମିସାଇଲ ପରୀକ୍ଷଣ। ଏଥିପାଇଁ କ୍ଷେପଣାସ୍ତ୍ର ଘାଟି ଆଖପାଖ ଅଞ୍ଚଳ ଖାଲି କରାଯାଉଛି। ଆଜି ଅପରାହ୍ନ 3ଟା 19 ମିନିଟରେ ଭାଟିକାଲ ଲଞ୍ଚ ସ୍ବଳ୍ପ ଦୂରଗାମୀ ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା VL-SRSAM(Vertical lunch Short Range Surface to Air Missile) କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି । ଲଞ୍ଚପ୍ୟାଡ 3ନଂରୁ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି ।
ଏଥିପାଇଁ ଲଞ୍ଚପ୍ୟାଡର ସାଢେ ଦୁଇ କିଲୋମିଟର ପରିଧି ଅଞ୍ଚଳର ଜନସାଧାରଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ଜୟଦେବ କସବା ପାହି ଓ ସାହାଜନଗର ପାହିରୁ ୧୦୯୩ ଜଣ, ଭୀମପୁର ପାହି ଓ ତୁଣ୍ଡରା ପାହିରୁ ୮୯୫ ଜଣ, ଖଡୁପାହି ଓ କୁସୁମୁଳୀରୁ ୧୧୧୨ ଜଣ ସମୁଦାୟ ୩୧୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡିକରେ ସ୍ଥାନାନ୍ତରିତ ପାଇଁ ୧୦୦ରୁ ଊର୍ଦ୍ଧ୍ୱ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେହିଭଳି ପୁଲିସ ପ୍ରଶାସନ ପକ୍ଷରୁ ୧୫ ସେକ୍ସନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଶିବିରରେ ରହିବାକୁ ଲୋକଙ୍କୁ ସୂଚନା ଦିଆଯାଇଛି। ଅସ୍ଥାୟୀ ଆଶ୍ରୟ ସ୍ଥଳୀରେ ଲୋକମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ବାଲେଶ୍ୱର ଏଡିଏମ୍ ନିରଞ୍ଜନ ବେହେରା କହିଛନ୍ତି, ଯେଉଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି, ସେମାନଙ୍କର ରହିବା ଖାଇବା ପିଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସରକାରଙ୍କ ନିୟମ ଅନୁସାରେ କାର୍ଯ୍ୟ କରାଯାଉଛି।