ଫସଲ ବୀମା ରାଶି ପ୍ରଦାନ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ଚାଷୀ: ୪ଘଣ୍ଟା ଧରି ଗାଡି ଚଳାଚଳ ଠପ, ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ଚାଷୀମାନଙ୍କୁ ଗତ ବର୍ଷର ଫସଲବୀମା ଅଦ୍ୟାବଧି ପ୍ରଦାନ କରାଯାଇନଥିବାରୁ ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବ୍ଲକ ଅଞ୍ଚଳର ଡେଙ୍ଗ, କୁମ୍ଭାରୀ, ଭଦ୍ରା, ଘୁନସର, ଆମ୍ବପାଲି, ତାଲବାହାଲ, ଟିକ୍ରାପଡ଼ା, ଗଣ୍ଡପତ୍ରାପାଲି, କୁଇକେଡ଼ା, ସଇଁନ୍ତଲା, ବିବିନା, କନ୍ଧକେଲଗାଁ, ଜୁରାବନ୍ଧ, ଝିଙ୍କିଡୁଙ୍ଗୁରୀ, ଟିକ୍ରାପଡ଼ା ଓ କଅଁସର ଅଞ୍ଚଳର ଚାଷୀମାନେ ଗତ ସୋମବାର ଦିନ ସଇଁତଲା ତହସିଲ କାର୍ଯ୍ୟାଳୟକୁ ଆସି କାର୍ଯ୍ୟାଳୟରେ ତାଲା ଦେବା ସହ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଦଲାରଙ୍କୁ ପ୍ରଦାନ କରିଥିଲେ। ଗତ ଜୁଲାଇ ୮ ତାରିଖ ଦିନ ଚାଷୀମାନେ ଏକ ଦାବିପତ୍ର ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଫସଲବୀମା ପ୍ରଦାନ କରିବା ପାଇଁ ଦାବି ଜଣାଇଥିଲେ। ବୀମା କମ୍ପାନୀ କିମ୍ବା ଅନ୍ୟ କୌଣସି ପ୍ରଶାସନିକ ଅଧିକାରୀ ଫସଲବୀମା ପ୍ରଦାନ ନେଇ ଅଦ୍ୟାବଧି କୌଣସି ପଦକ୍ଷେପ ନେଇନଥିବାରୁ ଚାଷୀମାନେ ତହସିଲ କାର୍ଯ୍ୟାଳୟକୁ ଘେରାଉ କରି ମଧ୍ୟ ତାଲା ମାରିଦେଇଥିଲେ।

ତହସିଲଦାର ସୁରେନ୍ଦ୍ର ମେହେର ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଚାଷୀମାନେ ଫସଲବୀମା ତୁରନ୍ତ ପ୍ରଦାନ କରାଯାଉ ନହେଲେ ଆଗାମୀ ୩୦ତାରିଖ ଦିନ ଜାତୀୟ ରାଜପଥ-୨୬କୁ ଅବରୋଧ କରିବୁ ଓ ଏଥିପାଇଁ ସମ୍ପୂର୍ଣ୍ଣ ରୂପରେ ପ୍ରଶାସନ ଦାୟୀ ରହିବ ବୋଲି ଶ୍ରୀ ମେହେରଙ୍କୁ କହିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।ହେଲେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ନ ଥିବା ବେଳେ ଆଜି ଶେଷରେ ବାଧ୍ୟ ହୋଇ ଜାତୀୟ ରାଜପଥ ୨୬ ନବୀନ ଛକ ଠାରେ ଅବରୋଧ କରିଥିଲେ
ସୂଚନା ମତେ, ଗତ ୨୦୨୧ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଚାଷୀ ମାନେ ନିଜ ଚାଷ ଜମି ପାଇଁ ଉପଯୁକ୍ତ ପ୍ରିମୀୟମ ଦେଇ ଫସଲ ବୀମା ପାଇଁ କାଗଜପତ୍ର ଦାଖଲ କରିଥିଲେ।ସରକାରଙ୍କ ନିର୍ଦ୍ଧାରିତ ନିୟମାନୁସାରେ କୃଷି ବିଭାଗ, ରାଜସ୍ୱ ବିଭାଗ ଓ ବୀମା କମ୍ପାନୀର ଅଧିକାରୀ ମାନେ ଫସଲ ଅମଳ ପରୀକ୍ଷା କରି ସୂଚନା ଦେଇଥିଲେ ପ୍ରାପ୍ତ ସୂଚନାକୁ ଆଧାର କରି ବୀମା କମ୍ପାନୀ ତରଫରୁ ଚାଷୀକୁ ଫସଲ ବୀମା ରାଶି ପ୍ରଦାନ କରାଯିବ କଥା କିନ୍ତୁ ୨୦୨୧ ମସିହାରେ ବ୍ଲକର ବିଭିନ୍ନ ଅଞ୍ଚଳରେ ଅଳ୍ପ ବୃଷ୍ଟିପାତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସଇଁନ୍ତଲା ଅଞ୍ଚଳର ଚାଷୀକୁ ବିମା ରାଶି ପ୍ରଦାନ କରାଯାଇନାହିଁ।

ତେବେ ଏହାକୁ ନେଇ ବିଜେପି ନେତା ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ ବିଭିନ୍ନ ଚାଷୀ ସଂଗଠନ ତରଫରୁ ସଇଁତଲା ବ୍ଲକ ନବୀନ ଛକ ଜାତୀୟ ରାଜପଥ ୨୬କୁ ଅବରୋଧ କରାଯାଇ ଥିଲା।ଯାହା ଦ୍ଵାରା ଗାଡି ଚଳାଚଳ ଠପ ହୋଇପଡିଥିଲା।ଖବର ପାଇବା ପରେ ତହସିଲଦାର ସୁରେନ୍ଦ୍ର ମେହେର, ଅତିରିକ୍ତ ତହସିଲଦାର ଲଳିତ ବାଗ ପ୍ରମୁଖ ଘଟଣା ସ୍ଥାନରେ ପହଁଚି ଚାଷୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଚାଷୀ ଶୁଣିବା ପାଇଁ ନାରାଜ ହୋଇଥିଲେ।ଏବଂ ୪ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ବୀମା କମ୍ପାନୀର କର୍ମଚାରୀ ଆସି ଚାଷୀ ମାନଙ୍କୁ ଏକ ମାସ ମଧ୍ୟରେ ଫସଲବୀମା ଟଙ୍କା ତାଙ୍କର ଖାତାରେ ଜମା ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟି ଥିଲା।ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସଇଁନ୍ତଲା ପୁଲିସ ପ୍ରଶାସନ ଉପସ୍ଥିତ ଥିଲେ।ସାଂସଦ ଙ୍କ ବ୍ଲକ ପ୍ରତିନିଧି ଅକ୍ଷୟ ରଣା,ଗୌର ରଣା,ଦର୍ଶନ ପଧାନ,ସୁରେଶ ଦନ୍ତା, ଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.