ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା |କଥାରେ ଅଛି ଯେତେବେଳେ ଜଗା ପାଖକୁ ଡୋରି ଲାଗେ ସେତେବେଳେ ସିଏ ଯାଇପାରେ । ଠିକ୍ ସେମିତି ଡୋରି ଲାଗିଥିଲା ଜଗାର । ଆଉ ଯିବା ବାଟରେ ଯମ ଜଗିଥିଲ ବାଟ । ଆଉ ଶେଷରେ ଦୁର୍ଘଟଣା ଶିକାର । ଆଉ  ଅଧା ରହିଗଲା ଜଗା ଦର୍ଶନ । ପୁରୀ ଯାଉଥିବା ବେଳେ ବାଟରେ ଛକି ବସିଥିଲା ଯମ । ଯାଜପୁର ଜିଲ୍ଲାରେ ଆଜି(ମଙ୍ଗଳବାର) ଭୋରୁ ଭୋରୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ପାଣିକୋଇଲି ନିକଟସ୍ଥ 16 ନମ୍ବର ଜାତୀୟ ରାଜପଥ ଶର୍ମା ପେଟ୍ରୋଲ ଟାଙ୍କି ଛକ ନିକଟରେ ଏକ ପାସେଞ୍ଜର ଅଟୋ ସହିତ ଅଜଣା ଗାଡି ଧକ୍କା ହେବାରୁ 2 ଜଣଙ୍କ ମୃତ୍ୟୁ ଘଟିଛି ଏବଂ 5 ଜଣ ଗୁରୁତର ଆହତ ହୋଇଛନ୍ତି ।

ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ଯାଜପୁର ଟାଉନ ମେଡିକାଲକୁ ପଠାଯାଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଭଦ୍ରକରୁ ଛୋଟ ଛୁଆ ଓ ମହିଳାଙ୍କ ସମେତ ୭ ଜଣ ଜଗା ଦର୍ଶନ ପାଇଁ ଅଟୋରେ ବାହାରିଥିଲେ ।  ଆଜି ଭୋରରୁ ପୁରୀରେ ପହଞ୍ଚି ଜଗା ଦର୍ଶନ କରିବା ପାଇଁ ଚିନ୍ତା କରିଥିଲେ । ହେଲେ କିଏ ଜାଣିଥିଲା କାଳିଆକୁ ଦେଖିବାର ଆଶା ଆଶାରେ ହିଁ ରହିଯିବ ।  ଅଟୋଟି ଯାଜପୁର ପାଣିକୋଇଲି ଛକ  ଅତିକ୍ରମ କରୁଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ୍‌ଟି ପିଟି ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋଟି ଚୁରମାର ହୋଇ ଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ଅଟୋରୁ ସମସ୍ତ ଯାତ୍ରୀଙ୍କୁ ବାହାର କରିଥିଲେ ।

ହେଲେ ସେତେବେଳକୁ ୨ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା । ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷୀୟା ନାବାଳିକା ଓ ୭ ବର୍ଷର ନାବାଳକ ଅଛନ୍ତି  । ସେହିପରି ମୃତକଙ୍କ ମଧ୍ୟରେ ଜଣେ ବିଷମକଟକର ହୋଇଥିବା ବେଳେ ଅନ୍ୟଜଣେ ଭଦ୍ରକ ଜିଲ୍ଲା ସିମୁଳିଆ ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ୨ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ସମସ୍ତ ଗୁରୁତରଙ୍କୁ ପ୍ରଥମେ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.