ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସୁସ୍ଥ ଅଛନ୍ତି, ଚଳଚଞ୍ଚଳ ଅଛନ୍ତି, ଚଲାବୁଲା ବି କରୁଛନ୍ତି। ଦୀର୍ଘ ୧୦ ଦିନ ପରେ ଉତ୍ତରାଖଣ୍ଡ ଟନେଲ ଭିତରେ ଫସିଥିବା ୪୧ ଶ୍ରମିକଙ୍କ ଏପରି ଆଶ୍ୱସ୍ତକର ପ୍ରଥମ ଚିତ୍ର ସାମନାକୁ ଆସିଛି। ଏହା ଉଦ୍ଧାରକାରୀ ଦଳ, ଶ୍ରମିକମାନଙ୍କ ପରିବାର ସମେତ ଦେଶବାସୀଙ୍କୁ ଆଶ୍ୱସ୍ତି ଆଣିଦେଇଛି । ଏଥିପାଇଁ ବରଦାନ ପାଲଟିଛି ଏଣ୍ଡୋସ୍କୋପି କ୍ୟାମେରା । ଏଣ୍ଡୋସ୍କୋପି କ୍ୟାମେରା ମାଧ୍ୟମରେ ଦୀର୍ଘ ୧୦ ଦିନ ପରେ ଟନେଲ ଭିତରର ସମ୍ପୂର୍ଣ୍ଣ ଚିତ୍ର ପଦାକୁ ଆସିଛି। ଏଥିସହ ଦୀର୍ଘ ୯ ଦିନ ପରେ ଗତରାତିରେ ପ୍ରଥମ ଥର ପାଇଁ ରନ୍ଧାଖାଦ୍ୟ ଖାଇଛନ୍ତି ଫସିଥିବା ୪୧ ଜଣ ଶ୍ରମିକ। ଗତକାଲି ରାତିରେ ସେମାନଙ୍କୁ 24ଟି ବୋତଲରେ ଭର୍ତ୍ତି କରାଯାଇ ଖେଚୁଡି ଦିଆଯାଇଥିଲା ।
ଏହାପୂର୍ବରୁ ସେମାନଙ୍କୁ କେବଳ ଡ୍ରାଏ ଫୁଡ ଓ ଓଆରଏସ ହିଁ ଦିଆଯାଉଥିଲା । 6 ଇଞ୍ଚର ଏକ ପାଇପକୁ ସଫଳତା ଭାବେ ଟନେଲ ମଧ୍ୟକୁ ପ୍ରବେଶ କରାଯାଇଛି ଯାହା ମାଧ୍ୟମରେ ସେମାନଙ୍କ ନିକଟକୁ ଖାଦ୍ୟ ପଦାର୍ଥ ସହଜରେ ପଠାଇହେବ ।ସେପଟେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି।ଏବେ କରାଯାଇଛି ନୂଆ ରଣନୀତି। ଟନେଲର ତିନି ପଟୁ ଡ୍ରିଲିଂ କରିବାକୁ ଯୋଜନା କରାଯାଇଛି। ଯେଉଁଠି ଶ୍ରମିକମାନେ ଫସିଛନ୍ତି ତାର ବାମ ଓ ଡାହାଣ ପଟୁ ଡ୍ରିଲିଂ କରାଯିବ। ତା ସହିତ ଉପରୁ ମଧ୍ୟ ହୋଲ୍ ଯାଇ ଯେ କୌଣସି ମତେ ସେମାନଙ୍କ ଉଦ୍ଧାର ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୫ଟି ଟିମ୍ ରାତି ଦିନ କାମ କରୁଛନ୍ତି। ସେପଟେ ବାୟୁସେନାର ବିମାନରେ ବଡ଼ ବଡ଼ ମେସିନ ଟନେଲ ପାଖକୁ ନିଆଗଲାଣି। ବଡ଼ ଓସାରିଆ ପାଇପ ଅଣାଯାଇଛି।
ଏବେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଡିଆରଡିଓ ର ରୋବୋଟିକ ଟିମ୍ ଓ ଏକ ଇଣ୍ଟରନ୍ୟାସନାଲ ଟନେଲ ଏକ୍ସପର୍ଟ ଟିମ୍। ନଭେମ୍ବର ୧୨ ତାରିଖରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ। ଡ୍ରିଲିଂ କରି ପ୍ରାୟ ୧ ମିଟର ଓସାରର ପାଇପ ପ୍ରବେଶ କରାଇ ସେମାନଙ୍କୁ ବାହାରକୁ ଆଣିବାର ଚେଷ୍ଟା କରାଯାଉଛି, କିନ୍ତୁ ତାହା ଫଳପ୍ରଦ ହୋଇନି। ସମସ୍ତ ୪୧ ଜଣ ଯାକ ଶ୍ରମିକ ସୁସ୍ଥ ଥିବା ସୂଚନା ମିଳିଛି।
ସେହିପରି ଟନେଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଲାଗି ଆବଶ୍ୟକ ବଡ଼ବଡ଼ ଭାରି ଉପକରଣ ସବୁକୁ ଅଣାଯାଉଛି। ଉପକରଣକୁ ଉତ୍ତରକାଶୀ ନେବା ପାଇଁ ଭାରତୀୟ ବାୟୁସେନାସହଯୋଗ କରୁଛି। ବାୟୁସେନାର C-17 ଏବଂ C-130 ଏୟାରକ୍ରାଫ୍ଟ ଯୋଗେ ଭାରି ମେସିନ ସବୁ ଏୟାରଲିଫ୍ଟ କରାଯାଉଛି। ଆଜି ମଧ୍ୟ ଏୟାରଲିଫ୍ଟ କରାଯାଇ ଏକ ୩୬ ଟନର ଉପକରଣ ଉତ୍ତରକାଶୀ ଅଣାଯାଇଛି।