କଟକ: ଦ୍ବିତୀୟା ଘାଣ୍ଟ ଖାଇ ଗଣେଶ ହେବେ ବିସର୍ଜନ , ପରମ୍ପରାକୁ ନେଇ ହାଇକୋର୍ଟରେ ମାମଲା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ସହରରେ ଦ୍ବିତୀୟା ଘାଣ୍ଟ ଖାଇବା ପରେ ବୁଢା ଗଣେଶଙ୍କ ବିସର୍ଜନ ହେବାର ବିଧି ଥିବା ବେଳେ ଏହି ପରମ୍ପରା ପାଳନ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ସେପ୍ଟେମ୍ବର ୨୫ ତାରିଖରେ ବୁଢା ଗଣେଶଙ୍କ ବିସର୍ଜନ ପାଇଁ ଅନୁମତି ଲୋଡି କଟକ ନଗର ବୁଢା ଗଣେଶ ପୂଜା କମିଟି ସଭାପତି ଶିବେନ୍ଦ୍ର ହାତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ମାମଲା କରୁଛନ୍ତି।ବକ୍ସିବଜାର ବଣିଆସାହି ଶ୍ରୀବୁଢା ଗଣେଶ ଘାଣ୍ଟଖିଆ ଗଣେଶଙ୍କ ପୂଜା ୬ଶହ ବର୍ଷ ହେବ ଚାଲି ଆସିଛି।

୨୦୧୫ ସେପ୍ଟେମ୍ବର ୧୬ରେ ହାଇକୋର୍ଟ ଗଣେଶ ମୂର୍ତ୍ତି ବିସର୍ଜନ ପ୍ରସଂଗରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରି ଗଣେଶ ପୂଜା ପରେ ଲଗାତାର ତିନୋଟି ରବିବାର ଗଣେଶ ଭସାଣି ପାଇଁ କହିଥିଲେ। ଚଳିତ ବର୍ଷ ଗଣେଶପୂଜା ଅଗଷ୍ଟ ୩୧ରେ ପଡୁଥିବା ବେଳେ ସେପ୍ଟେମ୍ବର ୪(ରବିବାର) ଦିନ ବିଭିନ୍ନ ମଣ୍ଡପକୁ ବିସର୍ଜନ ପାଇଁ ଅନୁମତି ଦେବାକୁ ପ୍ରଶାସନ ଯୋଜନା କରିଛି। ସେହିଭଳି ଭାବେ ଯେଉଁ ମଣ୍ଡପରେ ଗଣେଶଙ୍କ ସମ୍ମୁଖରେ ଅନନ୍ତ ଚତୁର୍ଦ୍ଦଶୀ ବ୍ରତ ପାଳନ ବିଧି ରହିଛି ସେଠାରେ ସେପ୍ଟେମ୍ବର ୧୧(ରବିବାର) ଦିନ ବିସର୍ଜନ ପାଇଁ ତାରିଖ ଧାର୍ଯ୍ୟ କରାଯାଉଛି। କିନ୍ତୁ ସହରରେ ବୁଢା ଗଣେଶ ମାନସିକ ପୂଜା ମଣ୍ଡପ ୧୪ରୁ ୨୦ଟି ରହିଛି। ଏହି ସବୁ ମଣ୍ଡପ‌ ପାଇଁ ବିସର୍ଜନ ତାରିଖ ସେପ୍ଟେମ୍ବର ୧୮(ରବିବାର) ଧାର୍ଯ୍ୟ କରିବାକୁ ଯୋଜନା କରାଯାଉଛି। ଅନ୍ୟପକ୍ଷରେ ଦ୍ବିତୀୟା ଘାଣ୍ଟ ଓଷା ସେପ୍ଟେମ୍ବର ୧୮ରେ ପଡୁଛି। ଏହି ସବୁ ଗଣେଶ ମଣ୍ଡପରେ ଘା‌ଣ୍ଟ ଓ ଅନ୍ନ ପ୍ରସାଦ ଭକ୍ତଙ୍କୁ ପ୍ରଦାନ କରାଯାଇଥାଏ। ଏଭଳି ସ୍ଥିତିରେ ସେପ୍ଟେମ୍ବର ୨୫ରେ ବୁଢା ଗଣେଶଙ୍କ ବିସର୍ଜନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନରେ ଆବେଦନକାରୀ ଦର୍ଶାଇଛନ୍ତି।

Leave A Reply

Your email address will not be published.