ବେଆଇନ ଧର୍ମାନୁଷ୍ଠାନ ସଂପର୍କିତ ମାମଲାରେ ହାଇକୋର୍ଟରେ ସାନି ସତ୍ୟପାଠ ଦାଖଲ; ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୭କୁ ଧାର୍ଯ୍ୟ
ବେଆଇନ ଧର୍ମାନୁଷ୍ଠାନ ସଂପର୍କିତ ମାମଲାରେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ତରଫରୁ ସାନି ସତ୍ୟପାଠ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି କରି ଏହି ସତ୍ୟପାଠକୁ ରେକର୍ଡରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୭କୁ ଧାର୍ଯ୍ୟ କରାଯାଇଛି।ଏ ସଂପର୍କିତ ମାମଲାର ଏପ୍ରିଲ ୧୧ରେ ହାଇକୋର୍ଟ ଶୁଣାଣି କରି ମୁଖ୍ୟ ଶାସନ ସଚିବଙ୍କୁ ସାନି ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବେଆଇନ ଧର୍ମାନୁଷ୍ଠାନ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଧର୍ମାନୁଷ୍ଠାନ ଉଚ୍ଛେଦ ସଂପର୍କିତ ‘ୟୁନିୟନ ଅଫ୍ ଇଣ୍ଡିଆ ବନାମ ଷ୍ଟେଟ୍ ଅଫ୍ ଗୁଜରାଟ’ ସହିତ ଅନ୍ୟ ମାମଲାରେ ସୁପ୍ରିମକୋର୍ଟ ୨୦୧୮ ଜାନୁଆରି ୩୧ରେ ପ୍ରଦାନ କରିଥିବା ରାୟ ଆଧାରରେ ହାଇକୋର୍ଟ ନିଜ ଆଡୁ ଏହି ମାମଲା ରୁଜୁ କରିଥିଲେ।