ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର ଅଧ୍ୟକ୍ଷା ଖାଲିଦା ଜିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ୭୮ ବର୍ଷ ବୟଷ୍କା ଖାଲିଦା ଜିୟାଙ୍କୁ ଗତ ୫୦ ଦିନ ହେଲା ରାଜଧାନୀ ଢାକାର ଏଭର କେୟାର ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଚିକିତ୍ସା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସେପରି କୌଣସି ସୁଧାର ହେଉ ନାହିଁ। ଏଣୁ ତାଙ୍କର ଚିକିତ୍ସା ନିମନ୍ତେ ପରିବାର ତାଙ୍କୁ ବିଦେଶ ନେଇଯିବାକୁ ପ୍ରସ୍ତୁତିରେ ଅଛନ୍ତି। ଏଥି ଲାଗି ପରିବାର ସରକାରଙ୍କୁ ଅନୁମତି ମାଗିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ସରକାରଙ୍କ ଅନୁମତି ମିଳିବାମାତ୍ରେ ଖାଲିଦା ଜିଆଙ୍କୁ ଚିକିତ୍ସା ନିମନ୍ତେ ବିଦେଶ ନିଆଯିବ। ସେ ଲିଭର ସୋରିଆସିସ୍ ବେମାରୀରେ ଆକ୍ରାନ୍ତ। ଏଣୁ ପରିବାର ଲୋକେ ତାଙ୍କୁ ଜର୍ମାନ ନେଇ ଚିକିତ୍ସା କରିବାକୁ ଚାହୁଁଛନ୍ତି। ଏହା ଛଡା ପରିବାର ତାଙ୍କ ଚିକିତ୍ସା ନିମନ୍ତେ ଆମେରିକା, ଅଷ୍ଟ୍ରେଲିଆ ଓ ସିଙ୍ଗାପୁରର ହସ୍ପିଟାଲମାନଙ୍କ ସହିତ ମଧ୍ୟ ସମ୍ପର୍କରେ ଅଛନ୍ତି। ଖାଲିଦା ଜିଆଙ୍କ ସାନ ଭାଇ ମେଜର(ଅବସରପ୍ରାପ୍ତ) ସଇଦ ଇସ୍କନ୍ଦରଙ୍କ ଅନୁସାରେ ଏଥି ନିମନ୍ତେ ସେପ୍ଟେମ୍ବର ୨୫ ତାରିଖରେ ଔପଚାରିକ ରୂପେ ଗୃହମନ୍ତ୍ରାଳୟଙ୍କୁ ନିବେଦନ କରାଯାଇଛି। ପରିବାର କହିବା କଥା ହେଉଛି ତାଙ୍କୁ କରୋନାରୀ କେୟାର ୟୁନିଟ୍ରେ ଭର୍ତ୍ତି କରିବାର ଆବଶ୍ୟକତା ରହିଛି। ସଇଦ ଇସ୍କନ୍ଦର କହିଛନ୍ତି ଆମେ ମନ୍ତ୍ରାଳୟରୁ ତ୍ୱରିତ ପ୍ରତିକ୍ରିୟା ଆଶା କରୁଛୁ। ଖାଲିଦା ଜିଆଙ୍କୁ ଅତ୍ୟାଧୁନିକ ଚିକିତ୍ସାର ତତ୍କାଳ ଆବଶ୍ୟକତା ରହିଛି। ଏହି ଚିକିତ୍ସା କେବଳ ବିଦେଶରେ ଉପଲବ୍ଧ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଖାଲିଦା ଜିଆଙ୍କ ବ୍ୟକ୍ତିଗତ ଚିକିତ୍ସକ ଡା. ଏଜେଡଏମ ଜାହିଦ ହୁସେନଙ୍କ ଅନୁସାରେ ସେ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ତାଙ୍କର ଲିଭର ପ୍ରତ୍ୟାରୋପଣ ସହିତ ତତ୍କାଳ ଉନ୍ନତ ଚିକିତ୍ସାର ଆବଶ୍ୟକତା ରହିଛି। ତେବେ ଏହା ବାଂଲାଦେଶରେ ସମ୍ଭବନୁହେଁ ବୋଲି ସେ କହିଛନ୍ତି। ଲିଭର ସୋରିଆସିସ୍ ଯୋଗୁ ସେ ଠିକରେ ନିଶ୍ୱାସପ୍ରଶ୍ୱାସ ନେଇ ପାରୁ ନାହାନ୍ତି। ସେହିପରି ତାଙ୍କର ପେଟ ସମ୍ପର୍କିତ ସମସ୍ୟା ମଧ୍ୟ ଉପୁଜିଛି। ବିଏନପି ର ସାଧାରଣ ସମ୍ପାଦକ ମିର୍ଜା ଫକରୁଲ ଇସ୍ଲାମ ଆଲମଗିର ଖାଲିଦା ଜିଆଙ୍କୁ ତତ୍କାଳ ବିଦେଶ ନେଇ ଯିବାକୁ ଅନୁମତି ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ନିକଟରେ ମିର୍ଜା ଫକରୁଲ ଢାକାରେ ଜର୍ମାନ ଦୂତାବାସକୁ ଯାଇ ପ୍ରଭାରୀ ଜନ ରଲଫ ଜାନୋସ୍କିଙ୍କୁ ଭେଟିଥିଲେ। ଆଇନ ମନ୍ତ୍ରୀ ଅନିସୁଲ ହକ୍ ଗୃହମନ୍ତ୍ରାଳୟଙ୍କୁ ଖାଲିଦା ଜିଆଙ୍କ ବିଦେଶରେ ଚିକିତ୍ସା ନିମନ୍ତେ ଆବେଦନ ପ୍ରାପ୍ତ ହୋଇଥିବା ପୁଷ୍ଟି କରିଛନ୍ତି। ତାଙ୍କ ଆବେଦନ ଉପରେ ଗୃହମନ୍ତ୍ରାଳୟ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜିଆ ଅନାଥାଳୟ ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲାରେ ଫେବୃଆରୀ ୨୦୧୮ରେ ଜେଲଦଣ୍ଡାଦେଶ ପରଠାରୁ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଛନ୍ତି। ସେ ପାଖାପାଖି ୨ ବର୍ଷ ଜେଲଦଣ୍ଡ ଭୋଗିଛନ୍ତି। ୨୫ ମାର୍ଚ୍ଚ ୨୦୨୦ରେ କୋଭିଡ-୧୯ ଯୋଗୁ ତାଙ୍କୁ ଜେଲରୁ ସର୍ତ୍ତମୂଳକ ମୁକ୍ତି ମିଳିଥିଲା।