ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଦେହାନ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭେଟେରାନ ବାମପନ୍ଥୀ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କର ଆଜି ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ସେ ଚିକିତ୍ସାଧୀନ ଥିଲେ ।  ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ଓ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ମାତ୍ର ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଏହି ଭେଟେରାନ ରାଜନେତା । ତାଙ୍କର ଶ୍ବାସକ୍ରିୟାଜନିକ ସମସ୍ୟା ରହିଥିଲା ।

ସେ ବାସଭବନରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ର ତତ୍ତ୍ବାବଧାନରେ ଚିକିତ୍ସିତ ହେଉଥିଲେ । ଗତବର୍ଷ ଜୁଲାଇ ମାସରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ହୋଇପଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ପିଟାଲରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସେ ବାସଭବନରେ ଚିକିତ୍ସିତ ହେଉଥିଲେ । ସେ ୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ । ସିପିଏମର ପୂର୍ବତନ ସଦସ୍ୟ ମଧ୍ୟ ଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ୨୦୧୧ ବେଙ୍ଗଲ ବିଧାନସଭା ନିର୍ବାଚନରେ ସେ ସିପିଏମର ନେତୃତ୍ୱ ନେଇଥିଲେ ।

ମାତ୍ର ଏହି ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଐତିହାସିକ ବିଜୟ ହାସଲ କରିବା ପରେ ୩୪ ବର୍ଷର କମ୍ୟୁନିଷ୍ଟ ଶାସନର ଅନ୍ତ ଘଟିଥିଲା ।  ଅତି ସରଳ ଜୀବନଶୈଳୀ ପାଇଁ ପରିଚିତ ଭଟ୍ଟାଚାର୍ଯ୍ୟ ପୂର୍ବରୁ ନିଜର ଅଙ୍ଗଦାନ ପାଇଁ ଇଚ୍ଛା କରିଥିଲେ । ଫଳରେ ମେଡିକାଲ ରିସର୍ଚ୍ଚ ପାଇଁ ତାଙ୍କର ଅଙ୍ଗ ଦାନ କରାଯାଇଛି । ତାଙ୍କର ମରଶରୀର ସିପିଏମର ମୁଖ୍ୟାଳୟକୁ ନିଆଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ବିଶିଷ୍ଟ ବ୍ୟକ୍ତି ଓ ପ୍ରଂଶସକ ଶେଷ ଦର୍ଶନ କରିବେ । ଆସନ୍ତାକାଲି ଅନ୍ତିମ ଯାତ୍ରା ଅନୁଷ୍ଠିତ ହେବାନେଇ ସୂଚନା ରହିଛି ।

Leave A Reply

Your email address will not be published.