ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍): ଖାଲି ପଡ଼ିଥିବା ୪ଟି ରାଜ୍ୟସଭା ଆସନ ପାଇଁ ଆଜି ବିଜେଡିର ୪ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦା୍ଖଲ କରିଥିବା ୪ ପ୍ରାର୍ଥୀ ହେଲେ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ନିରଞ୍ଜନ ବିଶି। ପ୍ରାର୍ଥୀମାନେ ଦଳର ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ବିଧାନସଭା ସଚିବାଳୟ ପରିସରରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବାରୁ ନାମାଙ୍କପତ୍ର ଦାଖଲ ବେଳେ ଉପସ୍ଥିତ ନାହାନ୍ତି। ତେବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।
କହିରଖୁ କି, ୩ଟି ଆସନରେ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷଦିନ ରହିଛି । ସେହିପରି ଗୋଟିଏ ଆସନରେ ଉପନିର୍ବାଚନ ପାଇଁ ଜୁନ ୨ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି । ପ୍ରସନ୍ନ ଆଚାର୍ୟ୍ୟ, ଏନ୍. ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ୟ୍ୟକାଳ ଶେଷ ହେଉଥିବାରୁ ୩ଟି ଆସନରେ ନିର୍ବାଚନ ହେଉଛି । ସେହିପରି କଟକ ମେୟର ଭାବେ ସୁବାସ ସିଂହ ନିର୍ବାଚିତ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବାରୁ ତାଙ୍କ ଆସନ ପାଇଁ ଉପନିର୍ବାଚନ ହେଉଛି । ଜୁନ୍ ୧୦ରେ ରାଜ୍ୟର ତିନିଟି ରାଜ୍ୟସଭା ସଭ୍ୟ ପଦବି ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ବିରୋଧୀ ଦଳ କୌଣସି ପ୍ରାର୍ଥୀ ଦେଉନଥିବାରୁ ଶାସକ ଦଳର ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିବେ। ସେହିପରି ଜୁନ୍ ୧୩ରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ । ତେଣୁ ଜୁନ୍ ୩ରେ ନାମାଙ୍କନପତ୍ର ଯାଞ୍ଚ ପରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ।