ଓଡ଼ିଆ ନ୍ୟୁଜ୍: ୧୦୮ ଗାର ସୁବାସିତ ଜଳରେ ଗାଧୋଇବା ପରେ ମହାଜ୍ୱରରେ ପୀଡ଼ିତ ମହାପ୍ରଭୁ । ଜ୍ୱର କମ୍ପନରେ ଶ୍ରୀଅଙ୍ଗରେ ତାତି । ଅନବସରର ଚାରିଦିନରେ ଅଣସର ଘରେ ଦଇତାପତି ସେବାୟତମାନେ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ସହ ଶ୍ରୀଅଙ୍ଗ ଫିଟା ନୀତି ଆରମ୍ଭ ହୋଇଛି । ଆଜି ଅଣବସରର ପଞ୍ଚମ ଦିବସ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ଓ ଶ୍ରୀଅଙ୍ଗ ଫିଟା ନୀତି ହେବା ପରେ ଲାଗି ହେବ ଫୁଲୁରି ତେଲ । ଏନେଇ ବଡଓଡିଆ ମଠ ପକ୍ଷରୁ ଚାଲିଛି ତେଲ ପ୍ରସ୍ତୁତି । ମଧ୍ୟାନ୍ନ ଧୂପ ପରେ ଏହି ଫୁଲୁରି ତେଲ ଶ୍ରୀମନ୍ଦିରକୁ ବିଜେ କରିବା ସହ ରାତ୍ରରେ ମହାପ୍ରଭୁଙ୍କୁ ଲାଗି କରିବେ ଦଇତାପତି ସେବକ ।
ବଡଓଡିଆ ମଠରୁ ପ୍ରତିବର୍ଷ ଅଣବସର ସମୟରେ ଯୋଗାଇ ଦିଆଯାଏ ଫୁଲୁରି ତେଲ । ଦଇତାପତି ସେବକମାନେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜିଉଙ୍କର ଜ୍ବର କମାଇବା ପାଇଁ ପ୍ରଲେପ କରିଥାନ୍ତି ଏହି ଔଷଧୀୟ ତୈଳ । ରାଜା ପ୍ରତାପ ଦେବଙ୍କ ଅମଳରୁ ବଡଓଡିଆ ମଠ ଯୋଗାଇ ଆସୁଛି ଏହି ଫୁଲୁରି ତେଲ ସେବା ।