ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ଇତିହାସ ରଚିଲେ ଗୋଲଡେନ ବୟ ନୀରଜ ଚୋପ୍ରା । ଭାରତର ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ ଚାମ୍ପିଅନ୍ଶିପରେ ପୁଣି ଥରେ ଭାରତୀୟ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ସେ ଦେଶ ପାଇଁ ରୌପ୍ୟପଦକ ଆଣି ଇତିହାସ ରଚିଛନ୍ତି । ଆମେରିକାର ୟୁଜୀନରେ ଆୟୋଜିତ ପ୍ରତିଯୋଗିତାରେ ନୀରଜ ଚୋପ୍ରା ପୁରୁଷ ଜାଭଲିନ୍ ଫାଇାନଲରେ ୨ୟ ସ୍ଥାନ ଅଧିକାର କରିଛନ୍ତି । ନୀରଜ ଚୋପ୍ରା ୪ର୍ଥ ଥର ୮୮.୧୪ ମିଟର ଜାଭଲିନ ଫିଙ୍ଗି ରୌପ୍ୟପଦକ ଆଣିଛନ୍ତି ।
ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ହାସଲ କରିବା ପରେ ଏଥଲିଟ୍ ନୀରଜ ଚୋପ୍ରା ବିଶ୍ୱ ଏଥଲେଟିକ୍ସ ଚାମ୍ପଅନଶିପିରେ ସଫଳତା ହାସଲ କରିଛନ୍ତି । ଆମେରିକାର ଓରେଗାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ନୀରଜ ଚୋପ୍ରା ସାମିଲ ଥିବା ଇଭେଣ୍ଟରେ ମୋଟ ୩୪ ଜଣ ପ୍ରତିଭାଗି ଅଂଶଗ୍ରହଣ କରିଥିଲେ । ଏମାନଙ୍କୁ ୨ଟି ଭାଗରେ ବିଭକ୍ତ କରାଯାଇଥିଲା । ଏହି ଗ୍ରୁପରୁ ୧୨ ଜଣ ଶ୍ରେଷ୍ଠ ଖେଳାଳିଙ୍କୁ ଫାଇନାଲ ଇଭେଣ୍ଟରେ ଜାଭଲିନ ଫିଙ୍ଗିବାକୁ ସୁଯୋଗ ମିଳିଥିଲା । ଭାରତକୁ ୧୯ ବର୍ଷ ପରେ ଏହି ପ୍ରତିଯୋଗିତାରେ ପଦକ ମିଳିଛି । ତାଙ୍କର ଏହି ଐତିହାସିକ ସଫଳତା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।