ଖାଉଟିଙ୍କ ପାଇଁ ଖୁସି ଖବର, କମିବ ତେଲ ଦର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମାସ ଆରମ୍ଭରୁ ଖାଉଟିଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଆନ୍ତର୍ଜାତିକ ବଜାରରେ ଦାମ୍‌ କମୁଥିବାରୁ ଦେଶରେ ଭିତରେ ବିକ୍ରି ହେଉଥିବା ତେଲର ଏମ୍‌ଆର୍‌ପି କମ୍‌ କରିବା ଲାଗି ସରକାର ତେଲ କଂପାନିଗୁଡିକୁ କହିଛନ୍ତି । ରୋଷେଇରେ ବ୍ୟବହାର ହେଉଥିବା ତେଲ ମୂଲ୍ୟରେ ୬ ପ୍ରତିଶତ ହ୍ରାସ ହେବ ବୋଲି ଜଣାପଡିଛି । ଫର୍‌ଚୁନ୍‌ ବ୍ରାଣ୍ଡ ନାମରେ ଖାଇବା ତେଲ ବିକ୍ରି କରୁଥିବା ଆଦାନି ୱିଲ୍‌ ମାର୍‌ ଓ ଫ୍ରିଡମ୍‌ ବ୍ରାଣ୍ଡ୍‌ରେ ତେଲ ବିକ୍ରି କରୁଥିବା ଜେମିନି ଏଡିବଲ୍‌ ଆଣ୍ଡ୍‌ ଫ୍ୟାଟ୍‌ସ ଇଣ୍ଡିଆ ପକ୍ଷରୁ ଖାଇବା ତେଲର ଲିଟର ପିଛା ଦାମ୍‌ରେ ୫ ଟଙ୍କା ଭଳି ହ୍ରାସ କରାଯିବ ।

ଖାଇବା ତେଲ ଦାମ୍‌ କମ୍‌ କରିବା ଲାଗି ସଦସ୍ୟମାନଙ୍କୁ କହିବାକୁ ନିକଟରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ସୋଲ୍‌ଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନକୁ କୁହାଯାଇଥିଲା । ତେଲ ଦର ହ୍ରାସର ଲାଭ ଗ୍ରାହକଙ୍କ ନିକଟରେ ପହଂଚାଇବା ଲାଗି ପଦକ୍ଷେପ ନେବାକୁ ବିଭାଗ କହିଥିଲା । ସଂଘ ପକ୍ଷରୁ ସଦସ୍ୟମାନଙ୍କୁ କୁହାଯାଇଛି ଯେ ଅତୀତରେ ପ୍ୟାକେଟ୍‌ରେ ବିକ୍ରି ହେଉଥିବା ତେଲର ଏମ୍‌ଆର୍‌ପି କମିଥିଲା । କିନ୍ତୁ ଏବେ ଯେଉଁ ଦାମ୍‌ ରହିଛି ତାହା ଆନ୍ତର୍ଜାତିକ ବଜାର ଦର ଅନୁସାରେ ଠିକ୍‌ ନାହିଁ । ଏହା ସାମାନ୍ୟ ଅଧିକ ରହିଛି । ଗତ ତିନି ମାସରେ ଏମ୍‌ଆର୍‌ପିରେ କେଉଁ କଂପାନି କେତେ ହ୍ରାସ କରିଛନ୍ତି ତାହା ଜଣାଇବା ଲାଗି ସଂଘ ଏହାର ସଦସ୍ୟମାନଙ୍କୁ କହିଛି । ସେହି ତଥ୍ୟ ଉପଭୋକ୍ତା ବ୍ୟାପାର ବିଭାଗକୁ ଦିଆଯିବ । ଭାରତ ଏହାର ୬୦ ପ୍ରତିଶତ ଖାଇବା ତେଳ ଆମଦାନି କରୁଛି । ଏହା ହେଉଛି ବିଶ୍ୱର ଦ୍ୱିତୀୟ ବୃହତ ଖାଇବା ତେଲ ବ୍ୟବହାରକାରୀ । ଗତ ଛଅ ମାସରେ ବିଶେଷ କରି ୬୦ ଦିନ ଭିତରେ ଆନ୍ତର୍ଜାତିକ ବଜାରରେ ଖାଇବା ତେଲ ଯେତିକି ଶସ୍ତା ହୋଇଛି, ଭାରତୀୟ ବଜାରରେ ତାହାର ପ୍ରତିଫଳନ ଦେଖିବାକୁ ମିଳିନାହିଁ ।

Leave A Reply

Your email address will not be published.