ଜନ୍ମମାଟିରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ

0

ଓଡିଆ ନ୍ୟୁଜ (ବ୍ୟୁ୍ରୋ) :ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଂଚିଛନ୍ତି । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇଛନ୍ତି । ପଂହଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ ହୋଇଥିବାରୁ ସେଠାରେ ଲୋକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ୱାଗତ କରିଛନ୍ତି । ଏହାଛଡା କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିଛନ୍ତି । ଏହାପରେ ରାଷ୍ଟ୍ରପତି ଚାଲିଚାଲି ସ୍ଥାନୀୟ ଲୋକଙ୍କୁ ନମସ୍କାର କରିବା ସହ ହାତ ହଲାଇ ସମସ୍ତଙ୍କର ଅଭିବାଦନ ଗ୍ରହଣ କରିଛନ୍ତି ।

ଏହା ପରେ ରାଷ୍ଟ୍ରପତି ପାହାଡପୁର ଅଭିମୁଖେ ବାହାରି ଯାଇଥିଲେ । ସେଠାରେ ରାଷ୍ଟ୍ରପତି ନିଜେ ପ୍ରତିଷ୍ଠା କରିଥିବା ଶ୍ୟାମ-ଲିପୁନ-ସିପୁନ ବା ଏସଏଲଏସ ସ୍କୁଲକୁ ଗସ୍ତ କରିବେ । ସ୍କୁଲରେ ୧୨୦ ଜଣ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ଭେଟିବା ସହ ଶହେରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ପରେ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିବେ । ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ରହିଛି ପାହାଡପୁରର ପୂଜାସ୍ଥଳ ଗୋଷାଣୀ ।
ଏଠାରେ ଆଦିବାସୀ ରୀତିନୀତିରେ ପୂଜା କରିବେ ରାଷ୍ଟ୍ରପତି । ଦିନ ପ୍ରାୟ ଗୋଟାଏରେ ପାହାଡପୁରରୁ ଗାଡ଼ିରେ ସିଧାସଳଖ ସାତପୁଟିଆକୁ ଯିବେ ରାଷ୍ଟ୍ରପତି । ସେଠାରେ ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ନିଶାମୁକ୍ତ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେବେ । ଭ୍ରମଣ ସାରି ହେଲିକପ୍ଟର ଯୋଗେ ବାରିପଦା ଯିବେ । ବାରିପଦା ସର୍କିଟ୍‌ ହାଉସ୍‌ରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ କରିବା ସହ ଅତିଥି ଭବନରେ ବିଶ୍ରାମ ନେବେ । ୬ ତାରିଖ ସକାଳେ ରାଷ୍ଟ୍ରପତି ବାରିପଦା ତକତପୁରସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । କାର୍ଯ୍ୟକ୍ରମ ପରେ ହେଲିକପ୍ଟର ଯୋଗେ କଲେଇକୁଣ୍ଡା ଯିବେ ଏବଂ ସେଠାରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.