ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସରିଛି କର୍ଣ୍ଣାଟକ ସରକାର ଗଠନ କରିବା ସହ ମନ୍ତ୍ରିମଣ୍ଡଳ ସଂପ୍ରସାରଣ। ଏବେ ଧାର୍ଯ୍ୟ ସୀମା ୩୪ ଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ମନ୍ତ୍ରିମଣ୍ଡଳରେ ରହିଛନ୍ତି। ତଥାପି ମନ୍ତ୍ରୀ ପଦକୁ ନେଇ ଆଶାୟୀଙ୍କ ବିବାଦ ଥମିବାର ନାଁ ଧରୁନି। ଏହିକ୍ରମରେ ନିଜ ଜେଜେବାପାଙ୍କୁ କଂଗ୍ରେସ ସରକାରରେ ମନ୍ତ୍ରୀ ପଦ ମିଳୁ ବୋଲି ତାଙ୍କ ନାତୁଣୀ ସିଧା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି। ତୁମକର ଜିଲ୍ଲାର ସିରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଟିବି ଜୟଚନ୍ଦ୍ରଙ୍କ ନାତୁଣୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି। ସେ ତାଙ୍କ ଜେଜେବାପାଙ୍କୁ ମନ୍ତ୍ରୀ ପଦ ଦିଆଯାଉ ବୋଲି ବେଶ ବିନମ୍ରତାର ସହ ଅନୁରୋଧ କରିଛନ୍ତି। ଜୟଚନ୍ଦ୍ରଙ୍କ ନାତୁଣୀ ଅର୍ଣ୍ଣା ସନ୍ଦୀପ ତାଙ୍କ ଚିଠିରେ ଲେଖିଛନ୍ତି ଯେ “ପ୍ରିୟ ରାହୁଲ ଗାନ୍ଧି, ମୁଁ ଟିବି ଜୟଚନ୍ଦ୍ରଙ୍କ ନାତୁଣୀ। ମୋ ଜେଜେବାପା ମନ୍ତ୍ରୀ ହୋଇ ନଥିବାରୁ ମୁଁ ଦୁଃଖିତ। ମୁଁ ଚାହୁଁଛି ସେ ମନ୍ତ୍ରୀ ହୁଅନ୍ତୁ। କାରଣ ସେ ଦୟାଳୁ, ଦକ୍ଷ ଓ କଠିନ ପରିଶ୍ରମୀ।” ସେ ତାଙ୍କ ଚିଠିରେ ଗୋଟିଏ ସ୍ମାଇଲ ଇମୋଜି ଦେଇ ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଏହା ଲେଖିଛନ୍ତି।
କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ଟିବି ଜୟଚନ୍ଦ୍ର ସିରା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରି ୨୯,୨୫୦ ଖଣ୍ଡ ଭୋଟ ବ୍ୟବଧାନରେ ଜେଡିଏସର କେଆର ଉଗ୍ରେଶଙ୍କୁ ପରାସ୍ତ କରିଥିଲେ। ଜୟଚନ୍ଦ୍ର ୮୬,୦୮୪ ଖଣ୍ଡ ଭୋଟ ପାଇଥିବା ବେଳେ ଉଗ୍ରେଶଙ୍କୁ ୫୬,୮୩୪ ଖଣ୍ଡ ଭୋଟ ମିଳିଥିଲା। ଏହି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପିର ସିଏମ ରାଜେଶ ଗୌଡା ୪୨,୩୨୯ ଖଣ୍ଡ ପାଇଥିଲେ। ଜୟଚନ୍ଦ୍ର ନିର୍ବାଚନ ଜିତିଥିବାରୁ କଂଗ୍ରେସ ସରକାରରେ ତାଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ଆଶା କରିଥିଲେ। ହେଲେ ଶନିବାର ହୋଇଥିବା କର୍ଣ୍ଣାଟକା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ଶପଥ ନେଇଥିବା ୨୪ ଜଣ ବିଧାୟକଙ୍କ ମଧ୍ୟରେ ତାଙ୍କ ନାଁ ନଥିଲା। ତେଣୁ ସେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।