ସବୁଜରୁ ଗେରୁଆ ହେଲା ‘ଲକ୍ଷ୍ମୀ’ ବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବଦଳିଯାଇଛନ୍ତି ସରକାର । ଏବେ ବଦଳାଚାଲିଛି ପୂର୍ବତନ ସରକାର ଦେଇଆସୁଥିବା ସମସ୍ତ ଯୋଜନାର ରୂପରଙ୍ଗ । ସେଇ ପୁରୁଣା ସେବା ହେଲେ ନୂଆ ଢଙ୍ଗରେ ଜନତାଙ୍କୁ ଭେଟିଦେବେ ନୂଆ ସରକାର । ଏଥିପାଇଁ ବଦଳା ଚାଲିଛି ରଙ୍ଗ । ଯାହା ସବୁଜ ଥିଲା ତାହା ଏବେ ଗେରୁଆ କରାଯାଉଛି । ବିଜେପି ସରକାର ଇତିମଧ୍ୟରେ ଶାସନକୁ ଆସିଛନ୍ତି। ସରକାର ନିର୍ଦ୍ଦେଶ ଦେଇଛନ୍ତି କି ନାହିଁ, ଜଣାନାହିଁ।

କିନ୍ତୁ ଦେଖାଯାଇଛି ଯେ ଏ ବସ୍‌ଗୁଡ଼ିକ ସବୁଜରୁ ଗେରୁଆକୁ ରୂପାନ୍ତରିତ କରାଯାଉଛି। ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ଭିତରେ ରହିଥିବା ପ୍ରାୟ ୨୮ ଲକ୍ଷ୍ମୀବସ୍‌କୁ ଏହିପରି ଗେରୁଆ ରଙ୍ଗ କରାଯାଉଛି। ନିର୍ବାଚନରେ ବିଜେଡି ପରାଜିତ ହେବା ପରଦିନ ରାତାରାତି ଲକ୍ଷ୍ମୀବସ୍‌ଗୁଡ଼ିକରୁ ‘ଶଙ୍ଖ’ ଲୋଗୋ ଷ୍ଟିକର ହଟାଇ ଦିଆଯାଇଥିଲା। ଗତ ଜାନୁଆରି ୩୧ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଚଳାଚଳ ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୬୦ଟି ବସ୍‌ ୫୩ଟି ରୁଟ୍‌ରେ ଚାଲିବା ଲାଗି ସ୍ଥିର ହୋଇଥିଲା। ଏମିତି କିଛି ଦୃଶ୍ୟ ରହିଛି ଢେଙ୍କାନାଳ ବସ୍ ଷ୍ଟାଣ୍ଡର । ବସ୍ ଷ୍ଟାଣ୍ଡରେ ଧାଡିକୁ ଧାଡି ଛିଡା ହୋଇଛି ପୂର୍ବତନ ସରକାରଙ୍କ ଦ୍ବାରା ଦିଆଯାଇଥିବା ଲକ୍ଷ୍ମୀ ବସ୍ ସେବା । ଏହାକୁ ଗୋଟା ପରେ ଗୋଟା ସବୁଜରୁ ଗେରୁଆ କରୁଛନ୍ତି ରଙ୍ଗମିସ୍ତ୍ରୀ ।

ଲକ୍ଷ୍ମୀ ବସରୁ ପୂର୍ବରୁ ଏହାର ଷ୍ଟିକର ହଟାଯାଇଥିବା ବେଳେ ଏହା ପରିବର୍ତ୍ତିତ ହୋଇ ମୁଖ୍ୟମନ୍ତ୍ରୀ ବସ୍ ସେବା ହେବ ବୋଲି ସ୍ପଷ୍ଟ କରିଥିଲେ ବିଭାଗୀୟ ମନ୍ତ୍ରୀ । ଯେଉଁ କାରଣରୁ ଏଠି ରଙ୍ଗ ବଦଳାଯାଉଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ଏଥିରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଟ୍ୟାଗ୍ ବି ଲାଗିସାରିଲାଣି । ତେବେ ଏହାକୁ ଏଭଳି ରଙ୍ଗ ପରିବର୍ତ୍ତନ କରାଇବା ପାଇଁ କିଏ ନିର୍ଦ୍ଦେଶ ଦେଇଛି ସେନେଇ କୌଣସି ସୂଚନା ହସ୍ତଗତ ହୋଇପାରିନାହିଁ ।

Leave A Reply

Your email address will not be published.