ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରଥଯାତ୍ରା-୨୦୨୪ ପାଇଁ ୨ ଦିନ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇଦିନ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଜୁଲାଇ ୮ ତାରିଖକୁ ଛୁଟି ଘୋଷଣା କରବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଆଜିର ରଥଯାତ୍ରା ସମନ୍ବୟ ବୈଠକ ମଞ୍ଚରୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ପୁରୀରେ ରଥଯାତ୍ରା ସମୀକ୍ଷା ବୈଠକରେ କିଛି ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଚଳିତ ଥର ଦୁଇ ଦିନ ଧରି ରଥଯାତ୍ରା ହେବାକୁ ଥିବାରୁ ସରକାରୀ ଭାବେ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୁଲାଇ ୭ ଓ ୮ ତାରିଖରେ ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ବିରଳ ରଥଯାତ୍ରା । ଏହାକୁ ସଫଳ କରିବା ପାଇଁ ସମୀକ୍ଷା ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ସଫଳତା ପୂବକ ରୀତିନୀତି କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ବୈଠକରେ ବରିଷ୍ଠ ଅଧିକାରୀ, ପୁଲିସ ଡିଜି, ସମସ୍ତ ସେବାୟତ ଉପସ୍ଥିତ ରହିଥିଲେ । ଚଳିତ ଥର ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେପଟେ ୫୩ ବର୍ଷ ପରେ ଅର୍ଥାତ ୧୯୭୧ ମସିହା ପରେ ଚଳିତବର୍ଷ ଆହ୍ବାନପୂର୍ଣ୍ଣ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ମହାପ୍ରଭୁ ୧୩ ଦିନିଆ ଅଣସର ବିଜେ କରିବେ । ଏଥିସହିତ ଗୋଟିଏ ଦିନରେ ନେତ୍ରୋତ୍ସବ,ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି ।