ଓଡ଼ିଆ ନ୍ୟୁଜ୍(ବ୍ୟରୋ): ଧରାପଡ଼ିବ ହତ୍ୟାକାରୀ । ମହିଳାଙ୍କୁ କିଏ ହତ୍ୟା କରିଥିଲା । ଖୁବଶୀଘ୍ର ତା ନିକଟରେ ପହଞ୍ଚିବ ଆରପିଏଫ । ଧାନବାଦ ଏକ୍ସପ୍ରେସରୁ ମିଳିଥିବା ମୃତଦେହର ପରିଚୟ ପାଇଁ ଲାଗିଲା ପୋଷ୍ଟର । ୪ ଦିନ ପରେ ବି ମହିଳାଙ୍କ ପରିଚୟ ମିଳିନାହିଁ । ମୃତ ମହିଳାଙ୍କ ପରିଚୟ କଣ? ତାଙ୍କ ହତ୍ୟାକାରୀ କିଏ? କାହିଁକି ମହିଳାଙ୍କୁ ହତ୍ୟା କରାଯାଇଛି? ହତ୍ୟା ପଛର କାରଣ ଏ ତମାମ ପ୍ରଶ୍ନ ର ଉତ୍ତର ଜାଣିବା ପାଇଁ ପୋଷ୍ଟର ଫଣ୍ଡା ଆପଣାଇଲା GRP ।
ଭୁବନେଶ୍ୱର ଷ୍ଟେସନ, ଜନଗହଳି ପୂର୍ଣ୍ଣ ଜାଗା ସମେତ ରାଜ୍ୟ ବାହାରର ସମସ୍ତ ଷ୍ଟେସନରେ ପୋଷ୍ଟର ଲଗାଇବ GRP । ମୃତ ମହିଳାଙ୍କ ବିଷୟରେ ଯେଉଁ ବ୍ୟକ୍ତି ଖବର ଦେବେ ତାଙ୍କୁ ପୁରସ୍କୃତ କରାଯିବ । ଏହାସହ ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ । ସତ୍ୟନଗର ସ୍ମଶାନରେ ମୃତ ମହିଳାଙ୍କର ହେବ ଶେଷକୃତ୍ୟ । ଦାହ ପୂର୍ବରୁ ମହିଳାଙ୍କ ହାଡ଼, କେଶ ଓ ପୋଷାକର ପ୍ରମାଣ ପାଇଁ ପୋଲିସ ଫଟୋ ରଖିବ ।
୨୦ ତାରିଖରେ ସତ୍ୟନଗର କୋଚିଂ ୟାର୍ଡ଼ରୁ ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରେ GRP ଓ ସାଇଣ୍ଟିଫିକ ଟିମ ଯାଇ ଛାନବିନ କରିଥିଲେ । ମୃତଦେହ ନିକଟରୁ ମିଳିଥିବା ମୋବାଇଲକୁ ଯାଞ୍ଚ ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି । ମୋବାଇଲରେ ଲୁଚି ରହିଛି ରହସ୍ୟ । ମୋବାଇଲ ତଥ୍ୟ ପୋଲିସ ପାଇଁ ବଡ଼ ପ୍ରମାଣ । ମୃତ ମହିଳାଙ୍କ ପୋଷ୍ଟ ମୋଟମ ରିପୋର୍ଟ GRP ହାତରେ ଲାଗିବା ପରେ ଏହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା । ଏହି ଘଟଣାରେ ୫୦ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିଛି GRP । ଅପରାଧୀଙ୍କ ସ୍ୱର୍ଗ ପାଲଟିଛି ଭୁବନେଶ୍ୱର ଷ୍ଟେସନ । କେତେବେଳେ ଟ୍ରେନରୁ ବିସ୍ପୋରକ ମିଳୁଛି ତ ଆଉ କେତେବେଳେ ଟ୍ରେନ ୱାସ ରୁମରୁ ଡେଡବଡ଼ି । ୫ ବର୍ଷରେ ୧୫୨ ଜଣଙ୍କ ମୃତ୍ୟୁର କାରଣ ଜାଣି ପାରିନାହିଁ GRP ଓ RPF ।