କେଜ୍ରିୱାଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କଲା ଗୁଜରାଟ ବିଶ୍ୱବିଦ୍ୟାଳୟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେଜ୍ରିୱାଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କଲା ଗୁଜରାଟ ବିଶ୍ୱବିଦ୍ୟାଳୟ । ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିଛି। ଏହାରି ମଧ୍ୟରେ କେଜ୍ରିୱାଲଙ୍କୁ ଆଉ ଏକ ସମନ ଜାରି କରାଯାଇଛି। ଅହମଦାବାଦ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ନେତା ସଞ୍ଜୟ ସିଂଙ୍କୁ ମାନହାନି ମାମଲାରେ ସମନ ଜାରି କରିଛନ୍ତି। ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନି ମାମଲା ରୁଜୁ କରିବା ପରେ କୋର୍ଟ ଏହି ସମନ ଜାରି କରିଛନ୍ତି।  ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଆଜି (ରବିବାର) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେରା କରିଛି । ଏହି ମାମଲାରେ କେଜ୍ରିୱାଲ ତଦନ୍ତକାରୀ ସଂସ୍ଥା ସିବିଆଇ, ଇଡି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି। କେଜ୍ରିୱାଲ ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ତଦନ୍ତକାରୀ ଅଧିକାରୀମାନେ ତାଙ୍କ ସତ୍ୟପାଠରେ ମିଥ୍ୟା ତଥ୍ୟ ଉପସ୍ଥାପନ କରିଛନ୍ତି ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋ‌ଦିଆଙ୍କୁ ଭୁଲ୍‌ରେ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଇଛନ୍ତି। ଇଡି ଏବଂ ସିବିଆଇ କୋର୍ଟଙ୍କୁ ଭୁଲ୍‌ ବାଟରେ ନେଉଛନ୍ତି। ଭୁଲ୍‌ ପ୍ରମାଣ ପ୍ରସ୍ତୁତ କରୁଥିବାରୁ ଉକ୍ତ ୨ ସଂସ୍ଥା ବିରୋଧରେ ଠିକ୍‌ ସମୟରେ ମାମଲା ରୁଜୁ ହେବ। ଦୁଇ ତଦନ୍ତକାରୀ ସଂସ୍ଥା ପ୍ରତିଦିନ କାହାକୁ ନା’ କାହାକୁ ଧରି ଧମକ ଦେଉଛନ୍ତି ଏବଂ ସେମାନଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଛନ୍ତି। ଇଡିର ୧୦୦ କୋଟି ଟଙ୍କାର ଲାଞ୍ଚ ଅଭିଯୋଗ ସଂକ୍ରାନ୍ତରେ କେଜ୍ରିୱାଲ କହିଛନ୍ତି, ୧୦୦ କୋଟି କୁଆଡ଼େ ଗଲା। ସବୁଠି ଚଢ଼ଉ ହେଲା। ମନୀଷ ସିସୋଦିଆଙ୍କ ଘରେ ତନ୍ନ ତନ୍ନ କରି ତଲାସୀ ହେଲା। କିନ୍ତୁ କିଛି ବି ମିଳିଲାନି ବୋଲି କେଜ୍ରିୱାଲ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କେଜ୍ରିୱାଲ କହିଛନ୍ତି, ଯଦି ମୁଁ ଦୁର୍ନୀତିଗ୍ରସ୍ତ ତେବେ କେହି ସାଧୁ ନୁହନ୍ତି। ସେ କହିଛନ୍ତି, ଯଦି ମୁଁ କହିବି ଯେ ପ୍ରଧାନମନ୍ତ୍ରୀଙ୍କୁ ୧୦୦ କୋଟି ଦେଇଛି, ତାହାହେଲେ ଏହି ଦୁଇ ସଂସ୍ଥା କଣ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବେ? ବିଜେପି ଏବେ ଯେଭଳି ବିରୋଧୀ ଦଳମାନଙ୍କୁ ଟାର୍ଗେଟ୍‌ କରୁଛି, ଗତ ୭୫ ବର୍ଷ ମଧ୍ୟରେ କୌଣସି ଦଳକୁ ବି ଏଭଳି ଟାର୍ଗେଟ୍‌ କରାଯାଇନି ବୋଲି ଆପ୍‌ ସୁପ୍ରିମୋ କହିଛନ୍ତି। ଇତିମଧ୍ୟରେ ଆପ୍‌ ସରକାର ସୋମବାର ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ସିବିଆଇ ସମନ କରିବା ପ୍ରସଙ୍ଗରେ ଏହି ଅଧିବେଶନରେ ଆଲୋଚନା ହେବ। ଗୁଜରାଟ ବିଶ୍ୱବିଦ୍ୟାଳୟ ଅଭିଯୋଗରେ ଦର୍ଶାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ପ୍ରସଙ୍ଗରେ କେଜ୍ରିୱାଲ ଏବଂ ସଞ୍ଜୟ ସିଂ ବିଶ୍ୱବିଦ୍ୟାଳୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି।  ଗୁଜରାଟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପୀୟୁଷ ପଟେଲଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଆଇପିସିର ଧାରା ୫୦୦ଅନୁଯାୟୀ ଏକ ମାମଲା ରୁଜୁ କରିଛି।

 ଅଭିଯୋଗରେ ଦର୍ଶାଯାଇଛି ଯେ ସାମ୍ବାଦିକ ସମ୍ମିଳନୀରେ ତଥା ଟ୍ୱିଟର ହ୍ୟାଣ୍ଡେଲରେ ଅରବିନ୍ଦ କେଜ୍ରିୱାଲ ଏବଂ ସଞ୍ଜୟ ସିଂ ବିଶ୍ୱବିଦ୍ୟାଳୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଏହା ସମ୍ମାନଜନକ ଅନୁଷ୍ଠାନର ଭାବମୂର୍ତ୍ତିକୁ ନଷ୍ଟ କରିଛି। ଏହି ଅଭିଯୋଗ ପରେ ଅହମଦାବାଦ କୋର୍ଟର ‘ଆଡିସନାଲ ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ’ ଜୟଶଭାଇ ଚୋୱାଟିୟା, କେଜ୍ରିୱାଲ ଏବଂ ସଞ୍ଜୟ ସିଂଙ୍କୁ ସମନ ଜାରି କରି ମେ ୨୩ରେ ହାଜର ହେବାକୁ କହିଛନ୍ତି।  ଅଭିଯୋଗକାରୀଙ୍କ ଓକିଲ କହିଛନ୍ତି ଯେ ‘ଗୁଜରାଟ ବିଶ୍ୱବିଦ୍ୟାଳୟ ୭୦ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହା ଲୋକଙ୍କ ମଧ୍ୟରେ ସୁନାମ ଅର୍ଜନ କରିଥିଲା। ଏହି ଅଭିଯୋଗ ବିଶ୍ୱବିଦ୍ୟାଳୟର ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଇଛି। ତେବେ କିଛି ଦିନ ତଳେ କେଜ୍ରିୱାଲ କହିଥିଲେ ଯେ ‘ଯଦି ଡିଗ୍ରୀ ଅଛି ଏବଂ ଏହା ସଠିକ୍, ତେବେ ଏହାକୁ କାହିଁକି ଦିଆଯାଇପାରିବ ନାହିଁ?’ ବିଶ୍ୱବିଦ୍ୟାଳୟ ଡିଗ୍ରୀ ଦେଉ ନାହିଁ, କାରଣ ଏହା ନକଲି। ଯଦି ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଗୁଜରାଟ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ, ତେବେ ଗୁଜରାଟ ବିଶ୍ୱବିଦ୍ୟାଳୟ ଖୁସିରେ ପ୍ରମାଣ ଦେବା ଉଚିତ୍, କାରଣ ତାଙ୍କ ବିଶ୍ୱବିଦ୍ୟାଳୟରେ ପଢ଼ିଥିବା ଛାତ୍ର ଆଜି ଦେଶର ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.