ଫୁଲବାଣୀ(ଓଡ଼ଆ ନ୍ୟୁଜ୍): ହାର୍ଡକୋର୍ ମାଓବାଦୀ ଅଶୋକ ପୁନେର ଆତ୍ମସମର୍ପଣ ।ଛତିଶଗଡ଼ରେ ଆତଙ୍କ ଖେଳାଇଥିବା ମାଓବାଦୀ ଅଶୋକ ପୁନେ (୨୯) କନ୍ଧମାଳ ଏସ୍.ପି.ବିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିବାପରେ ଏସ୍.ପି.ତାକୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ଅଶୋକର ନିଜ ଘର ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାର ବସାଗୁଡ଼ା ଥାନା ଅନ୍ତର୍ଗତ ମାଳିପଦା ଗ୍ରାମପଞ୍ଚାୟତର ଦଲା ଗ୍ରାମରେ। ତାର ବାପା ପାଣ୍ଡୁ ପୁନେ ଜଣେ ସାଧାରଣ ଚାଷୀ।
ଅଶୋକ ଏରିଆ କମିଟି ସଦସ୍ୟ ଭାବେ ଦୀର୍ଘଦିନଧରି କାର୍ୟ୍ୟ କରୁଥିଲା। ଓଡ଼ିଶା ଓ ଛତିଶଗଡ଼ର ଅନେକ ମାଓ ହିଂସାରେ ସେ ଜଡ଼ିତ ଥିବା ସହ କନ୍ଧମାଳରେ ମଧ୍ୟ ଅନେକ ହିଂସା ଘଟାଇଥିବା ଜଣାପଡ଼ିଛି। ‘ମାଓବାଦୀଙ୍କ ହିଂସାତ୍ମକ’ ପନ୍ଥା ପ୍ରତି ସେ ବିମୁଖ ହୋଇଯାଇଥିଲା। ତେବେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ପ୍ରଭାବିତ ହୋଇ ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଥିବା କଥା ସ୍ୱୀକାର କରିଛି।