ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହରିୟାଣାର ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସାରେ ରାଜ୍ୟ ସରକାରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଘଟଣାରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୦୨ ଜଣ ଗିରଫ ହୋଇଛନ୍ତି। ହିଂସା ନେଇ ୧୦୨ଟି ଏତଲା ରୁଜୁ ହୋଇଥିବା ବେଳେ ଏବେ ବି ଦୁଇ ସଂପ୍ରଦାୟ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ ଆଜି ହିଂସା ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ରଖି କହିଛନ୍ତି, ନୁହ ଏସ୍ପି ବରୁଣ ସିଙ୍ଗଲାଙ୍କୁ ଭିୱାନିକୁ ବଦଳି କରାଯାଇଛି ଏବଂ ଆଇପିଏସ୍ ଅଫିସର ନରେନ୍ଦ୍ର ବିଜାରନିୟା ନୂଆ ଏସ୍ପି ହୋଇଛନ୍ତି।
ନୁହ ଜିଲ୍ଲାରେ ଶୁକ୍ରବାର ମଧ୍ୟ ମୋବାଇଲ ଇଣ୍ଟରନେଟ୍ ସେବା ଅସ୍ଥାୟୀ ଭାବେ ବନ୍ଦ ରହିଛି। ହରିୟାଣାର ହିଂସା ପ୍ରବଣ ଅଞ୍ଚଳରେ ଥିବା ମସଜିଦଗୁଡ଼ିକରେ ଆଜି ଶୁକ୍ରବାର ପ୍ରାର୍ଥନା ବାତିଲ କରାଯାଇଛି। ଲୋକମାନଙ୍କୁ ଖୋଲାରେ ନମାଜ ପାଠ କରିବାକୁ ମନା କରାଯାଇଛି ଏବଂ ଘରେ ନମାଜ ପାଠ କରିବାକୁ କୁହାଯାଇଛି। ଗୁରୁଗ୍ରାମ, ନୁହ ଏବଂ ଅନ୍ୟ ସ୍ଥାନମାନଙ୍କରେ ଜିଲ୍ଲା ପ୍ରଶାସନ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛନ୍ତି।