ଓଡ଼ିଆ ନ୍ୟୁଜ୍: ଉପର ମୁଁହା ଏପ୍ରିଲ ମାସର ପାର। ଝାରସୁଗୁଡାରେ ତାପମାତ୍ରା ୪୧ ଡିଗ୍ରୀ ପାର। ଖରା ଓ ଗୁଳୁଗୁଳି ପାଇଁ ଘରୁ ବାହାରିବା ମୁସ୍କିଲ। ଡହଡହ ଖରାକୁ ଝାଞ୍ଜି ମାଡ଼ । ଝାଇଁ ଝାଇଁ କରିଦେଲା ଦେହ, ମୁଣ୍ଡ । ଖରାରେ ଟିକିଏ ଛିଡ଼ା ହୋଇଗଲେ ସିଝିଲା ଭଳି ଲାଗୁଥାଏ । ଏମିତି ତାତି ପ୍ରହାର ସହ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ ବା ‘ହିଟ୍ ୱେଭ୍’ ପ୍ରକୋପ ।
ଶୁକ୍ରବାର ପାରଦ ମାରିଲା ବଡ଼ ଡିଆଁ । ଅସ୍ୱାଭାବିକ ବେଗରେ ଉପରମୁହାଁ ହେଲା ତାପମାତ୍ରା । ସକାଳୁ ଟାଏଁ ଟାଏଁ ଖରା । ଦିନ ବଢ଼ିବା ସହ ପାରଦ ପହଞ୍ଚିଗଲା ୪୨ ଡିଗ୍ରୀ ସେଲସିୟସ ପାଖାପାଖି । ନିଆଁ ମାଡ଼ ଭଳି ଅନୁଭୂତ ହେଲା ଅନେକ ଜିଲ୍ଲାରେ । ଗୋଟିଏ କି ଦୁଇଟି ସ୍ଥାନ ନୁହେଁ, ୯ଟି ଜାଗାରେ ପାରଦ ୪୦ ଡିଗ୍ରୀ ଡେଇଁଲା । ଶୁକ୍ରବାର ସର୍ବାଧିକ ତାତି ଥିଲା ଶିଳ୍ପାଞ୍ଚଳ ଝାରସୁଗୁଡ଼ାରେ । ସେଠାରେ ପାରଦ ୪୧.୬ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା । ସ୍ୱାଭାବିକଠାରୁ ତାତି ୩ ଡିଗ୍ରୀ ବଢ଼ିଯିବାରୁ ଅସ୍ୱାଭାବିକ ଗରମରେ ଛଟପଟ ହୋଇଥିଲେ ଝାରସୁଗୁଡ଼ା ସହରବାସୀ । ଶିଳ୍ପନଗରୀ ଅନୁଗୁଳ ୪୦.୭ ଡିଗ୍ରୀ ଖରାରେ ନାକେଦମ ହୋଇଥିବାବେଳେ ଉପକୂଳବର୍ତ୍ତୀ ଜିଲ୍ଲା ଭଦ୍ରକରେ ପାରଦ ଡିଆଁ ମାରି ୪୦.୫ ଡିଗ୍ରୀରେ ପହଞ୍ଚିଛି ।
ଅନ୍ୟ ସହର ଭିତରେ ଟିଟିଲାଗଡ଼ ୪୦.୫, ହୀରାକୁଦ ୪୦.୪, ବଲାଙ୍ଗୀର ୪୦.୩, ସମ୍ବଲପୁର ୪୦, ପାରଳାଖେମୁଣ୍ଡି ୪୦ ଡିଗ୍ରୀ ତାପମାତ୍ରାରେ ସିଝିଥିଲା । ରାଉରକେଲା ୩୯.୫, ସୁନ୍ଦରଗଡ଼ ୩୯.୫, ବାରିପଦା ୩୯ ଡିଗ୍ରୀ ଛୁଇଁଥିଲା । ଉପକୂଳରେ ବି ପାରଦ ୩୮ ଉପରେ ପହଞ୍ଚିଥିଲା । କଟକ ୩୮.୪ ଓ ଭୁବନେଶ୍ୱର ୩୮.୭ ଡିଗ୍ରୀରେ ଝାଇଁ ଝାଇଁ ହୋଇଯାଇଥିଲା । ଭୁବନେଶ୍ୱର ଭଳି ସହରରେ ତାପମାତ୍ରା ସ୍ୱାଭାବିକ ଠାରୁ ୨.୨ ଡିଗ୍ରୀ ଅଧିକ ଥିଲା । କଟକ ଓ ଭୁବନେଶ୍ୱରରେ ଆଜି ଅସ୍ୱାଭାବିକ ତାତି ଅସ୍ତବ୍ୟସ୍ତ କରି ଦେଇଥିଲା ।