ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରବଳ ବର୍ଷାରେ ବେହାଲା ହୋଇଛି ସାରା ଦେଶ । ଏହାରି ଭିତରେ ଗୁଜରାଟରେ ପ୍ରବଳ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଗୁଜରାଟରେ ବର୍ଷାଜନିତ ବିଭିନ୍ନ କାରଣ ପାଇଁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଜୁନ୍ ୧ ରୁ ଏଯାବତ୍ ରାଜ୍ୟରେ ୧୦୨ ଜଣଙ୍କର ମୃତ୍ୟୁ ହେଲାଣି।
ଆଇଏମ୍ଡି ପକ୍ଷରୁ ଗୁଜରାଟର ବିଭିନ୍ନ ଜିଲ୍ଲାରେ ଅରେଂଜ ଆଲର୍ଟ ଜାରି ହୋଇଛି। ଦେବଭୂମି ଦ୍ବାରକା, ରାଜକୋଟ, ଭାବନଗର ଏବଂ ଭଲସାଦ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପ୍ରବଳ ବର୍ଷା ପାଇଁ ୨ଟି ଜାତୀୟ ରାଜପଥ, ୧୦ ରାଜ୍ୟ ରାଜପଥ ଏବଂ ୩୦୦ ଗ୍ରାମୀଣ ରାସ୍ତା ବନ୍ଦ ରହିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି।