କଟକ: ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ସିଗ୍ନାଲ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ପତ୍ନୀଙ୍କୁ ମିଳିଲା ଆଗୁଆ ଜାମିନ,କିନ୍ତୁ ତଦନ୍ତରେ ସହଯୋଗ ପାଇଁ କୋର୍ଟ ଦେଲେ ନିର୍ଦ୍ଦେଶ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ) ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲ ଯାଇଥିବା ସିଗ୍ନାଲ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଭିଜିଲାନ୍ସ ମାମଲାରେ ତ୍ରିନାଥଙ୍କ ପତ୍ନୀ ଦିପ୍ତୀମୟୀ ମିଶ୍ରଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ଭିଜିଲାନ୍ସ ଅଧିକାରୀଙ୍କୁ ତଦନ୍ତରେ ସହଯୋଗ କରିବାକୁ ସର୍ତ୍ତ ରଖିବା ସହ ତଦନ୍ତକାରୀ ଅଧିକାରୀ ଯେତେବେଳେ ଆବଶ୍ୟକ କରିବେ ସେତେବେଳେ ତାଙ୍କ ନିକଟରେ ଦିପ୍ତୀମୟୀ ହାଜର ହେବେ ବୋଲି ନିର୍ଦ୍ଦେଶ ରହିଛି।
ଏହା ସହିତ ତଥ୍ୟ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବେ ନାହିଁ ବୋଲି ଜାମିନରର ସର୍ତ୍ତ ରହିଛି। ଗତ ଫେବ୍ରୁଆରି ୧୬ ତାରିଖରେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଥିଲେ ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର। ଭିଜିଲାନ୍ସ ତ୍ରିନାଥ ମିଶ୍ରଙ୍କର ବିଭିନ୍ନ ସ୍ଥାନରେ ଚଢାଉ କରି ଶ୍ରୀ ମିଶ୍ରଙ୍କ ୯ କୋଟି ୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିବା ସହ ତାଙ୍କୁ ଗିରଫ କରିଥିଲା। ତାଙ୍କ ପାଖରୁ କେବଳ ୨ କୋଟି ଟଙ୍କାର ବିଭିନ୍ନ କାର୍ ଜବତ ହୋଇଥିଲା। ସେଥି ମଧ୍ୟରେ ତାଙ୍କର ଏକ ବିଏମଡବ୍ଲ୍ୟୁ ଗାଡ଼ି, ଯାହାକୁ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଜବତ କରିଥିଲା ଭିଜିଲାନ୍ସ। ଏକ ୬ ଜଣିଆ ଟିମ୍ ଚିଲିକାର ସ୍ୱସ୍ତି ରିସୋର୍ଟରୁ ଏହି ଦାମୀ ବିଏମଡବ୍ଲୁ କାର ଜବତ କରିଥିଲା। ଯାହାର ମୂଲ୍ୟ ୧ କୋଟି ୧୧ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦିଆଯାଇଥିଲା। ଏହାଛଡ଼ା ତାଙ୍କଠାରୁ ହୁଣ୍ଡାଇ କ୍ରେଟା କାର୍, ମାରୁତି ବାଲେନୋ କାର୍ ଓ ସେଭ୍ରୋଲେଟ୍ ଟ୍ରେଲ ବ୍ଲେଜର କାର୍ ବି ଠାବ ହୋଇଥିଲା। ସେହିପରି ଏକ ବାଇକ୍ ବି ଜବତ ହୋଇଥିଲା। ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କା।
କେବଳଏତିକି ନୁହେଁ, ତାଙ୍କର ଏକ ବୁଲେଟ୍ ବି ଜବତ ହୋଇଥିଲା। ତାଙ୍କ ଘରୁ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ୨୮ଟି ଆକାଉଣ୍ଟ ଠାବ କରାଯାଇଥିଲା। ନବରଙ୍ଗପୁରର ଡାବୁଗାଁରେ ଥିବା ପୈତୃକ ଘର, କଟକର ମହାନଦୀ ବିହାର ଠାରେ ପୁଅ ତୁଷାର ମିଶ୍ର ଏବଂ ତରୁଣ ମିଶ୍ରଙ୍କ ଡ୍ରଗ୍ ଉତ୍ପାଦନ ୟୁନିଟ୍, କଟକ ତୁଳସୀପୁରରେ ଅବସ୍ଥିତ ତାଙ୍କର ଅଫିସ୍, ସରକାରୀ ମଧୁପାଟଣାରେ ଥିବା କ୍ୱାର୍ଟର୍, ଭୁବନେଶ୍ୱର ରସୁଲଗଡ଼ସ୍ଥିତ ମନୋରମା ଇଷ୍ଟେଟରେ ଥ୍ରୀବିଏଚକେ ଫ୍ଲାଟ, ଯାଜପୁରର ବଡ଼ଚଣାରେ ଥିବା ଶଶୁର ଘର, ଫାର୍ମହାଉସ୍, ମେଡିସିନ୍ ଦୋକାନ ସହିତ ଶାନ୍ତିଲତା କେୟାର ଏବଂ ନର୍ସିଂହୋମ ଓ ଟ୍ରାନ୍ସପୋର୍ଟ ଥିବା ସୂଚନା ଦେଇଥିଲା ଭିଜିଲାନ୍ସ।
ଏହି ମାମଲାରେ ତ୍ରିନାଥ ମିଶ୍ରଙ୍କ ସହ ତାଙ୍କ ପତ୍ନୀ ଦିପ୍ତୀମୟୀ ମିଶ୍ରଙ୍କ ନାମରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। ତେବେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ଫସାଇ ଦିଆଯାଇଛି ଓ ସେ କୌଣସି ପ୍ରକାର ଏପରି ଘଟଣାରେ ସଂପୃକ୍ତ ନାହାନ୍ତି ବୋଲି ଦର୍ଶାଇ ଦିପ୍ତୀମୟୀ ମିଶ୍ର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ବାଇଟ: ବିଭୂତି ଭୂଷଣ ଚୌଧୁରୀ, ଦିପ୍ତୀମୟୀଙ୍କ ଓକିଲ