ଜେଲ ସଂସ୍କାର ସଂପର୍କିତ ମାମଲାରେ କୋର୍ଟ ମିତ୍ରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜେଲ ସଂସ୍କାର ସଂପର୍କିତ ମାମଲା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ  ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ଜେଲ ସଂସ୍କାର କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ  ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରଯାଇଛି।  ହାଇକୋର୍ଟଙ୍କ ୨୦୨୧ ଡିସେମ୍ବର ୨୩ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ କମିଟି ଗଠନ କରାଯାଇଛି ଓ ଜେଲ ସଂସ୍କାର ପ୍ରସଂଗରେ ପଦକ୍ଷେପ ନିଆଯାଇଛି ବୋଲି ସରକାରଙ୍କ ତରଫରୁ ଏଥିରେ ଦର୍ଶାଯାଇଛି। ଏହି ସତ୍ୟପାଠ ଉପରେ କୋର୍ଟ ମିତ୍ରଙ୍କୁ ପକ୍ଷ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୨୨ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ ଏହି ପ୍ରସଙ୍ଗରେ ୧୦ ଦିନ ଭିତରେ ରାଜ୍ୟ ଗୃହ ସଚିବ, ଆଇନ ସଚିବ, ପୁଲିସ ଡିଜିଙ୍କ ପ୍ରତିନିଧି, ସ୍ବାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁକଲ୍ୟାଣ ବିଭାଗ ପ୍ରତିନିଧି, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବଙ୍କୁ ନେଇ ଏହି କମିଟି ଗଠନ କରିବା ପାଇଁ ଅଦାଲତ ଗତ ଡିସେମ୍ବର ୨୩ରେ ନିର୍ଦେଶ ଦେଇଥିଲେ। ୨୦୨୨ ଜାନୁଆରି ୨୨ ସୁଦ୍ଧା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ନିର୍ଦ୍ଦେଶ ଥିଲା। ଅଦାଲତଙ୍କ ନିର୍ଦ୍ଦେଶନାମା ସହିତ ପୂର୍ବରୁ ଜେଲ ସଂସ୍କାର ପ୍ରସଙ୍ଗରେ ପ୍ରଦାନ କରାଯାଇଥିବା ଆଦେଶ ପ୍ରସଂଗରେ ବିବରଣୀ ପ୍ରସ୍ତୁତ କରି ଜାନୁଆରି ୩ ତାରିଖ ସୁଦ୍ଧା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ପ୍ରଦାନ କରିବାକୁ କୁହାଯାଇଥିଲା। ଏପରି ନିର୍ଦ୍ଦେଶ ସଂପର୍କରେ ସମସ୍ତ ଜିଲ୍ଲା ଆଇନସେବା ପ୍ରାଧିକରଣ, ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରିବାକୁ ହାଇକୋର୍ଟ କହିଥିଲେ। ତେବେ ତଥ୍ୟରୁ ଜଣାପଡ଼ିଥିଲା ଯେ ଭଦ୍ରକ ଜେଲରେ ନିର୍ଦ୍ଧାରିତ ସଂଖ୍ୟା ୧୬୬ ହୋଇଥିବା ବେଳେ ୪୫୬ଜଣ ବନ୍ଦୀଙ୍କୁ ରଖାଯାଇଛି।

ବାରିପଦା ଜେଲରେ ନିର୍ଦ୍ଧାରିତ ସଂଖ୍ୟା ୫୯୧ ହୋଇଥିବା ବେଳେ ଅକ୍ଟୋବର ୩୧ ସୁଦ୍ଧା ୬୬୫ ବନ୍ଦୀଙ୍କୁ ଏଠାରେ ରଖାଯାଇଥିଲା। ସେହିଭଳି ଭାବେ ଚୌଦ୍ବାର ସର୍କଲ ଜେଲ୍‌ରେ ୯୬୧ ଜଣଙ୍କ ସ୍ଥାନରେ ୧୨୦୫ ଜଣ, ଭୁବନେଶ୍ବର ଝାରପଡ଼ା ସ୍ପେସାଲ୍‌ ଜେଲ୍‌ରେ ୭୪୯ଜଣଙ୍କ ସ୍ଥାନରେ ୧୧୬୩ ଜଣ, ଫୁଲବାଣୀ ଡିଷ୍ଟ୍ରିକ୍ଟ ଜେଲରେ ୨୭୭ ସ୍ଥାନରେ ୫୧୯, ଯାଜପୁର ଜେଲରେ ୧୩୩ ସ୍ଥାନରେ ୩୨୫, ଜୟପୁର ଜେଲରେ ୨୮୨ ସ୍ଥାନରେ ୪୨୬, ମାଲକାନଗିରି ଜେଲରେ ୩୧୪ ସ୍ଥାନରେ ୮୧୮ଜଣ ବନ୍ଦୀଙ୍କୁ ରଖାଯାଇଥିବା ଆଜି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏହି କ୍ରମରେ ରାଜ୍ୟର ବିଭିନ୍ନ ଜେଲରେ ୧୯ହଜାର ୮୫୫ ବନ୍ଦୀ ରହିବା କଥା କିନ୍ତୁ ୨୧ହଜାର ୭୬୭ ବନ୍ଦୀ ଅକ୍ଟୋବର ଶେ‌ଷ ସୁଦ୍ଧା ଥିଲେ। ଆମିକସ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଏହି ମାମଲା ପରିଚାଳନା କରୁଛନ୍ତି।

Leave A Reply

Your email address will not be published.