ଇରାକରେ ଅପହରଣକାରୀଙ୍କ ଶିକାର ହୋଇଛନ୍ତି ଵାଲୁଗାଁର ଟାଇଲ ମିସ୍ତ୍ରୀ ସୁନୀଲ, ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଇରାକରେ ବେଆଇନ ଭାବେ ଅଟକ ଥିବା ଯୁବକଙ୍କୁ ଉଦ୍ଧାର ପ୍ରସଂଗରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଓଡିଶା ହାଇକୋର୍ଟ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ଯୁବକ ସୁନୀଲ ପଟ୍ଟନାୟକ ସୁଦୂର ଇରାକର ବାବିଲନ୍ ସହରରେ ଅଟକ ଅଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏହି ଯୁବକଙ୍କୁ ଉଦ୍ଧାର ପାଇଁ ତାଙ୍କ ଭଉଣୀ ଦୀପ୍ତିମୟୀ ପଟ୍ଟନାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ନୋଟିସ୍ ଜାରି କରିଛନ୍ତି।

ଏହି ପ୍ରସଂଗରେ କଣ ପ୍ରକୃତରେ ସ୍ଥିତି ରହିଛି ଓ ପୀଡିତ କିଭଳି ଅବସ୍ଥାରେ ଅଛନ୍ତି ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୧୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ହାଇକୋର୍ଟରେ ଦାୟର ଆବେଦନରେ ଦର୍ଶାଯାଇଛି ‌ଯେ, ମାର୍ବଲ ଓ ଗ୍ରାନାଇଟ ବସାଇବା କାମ ଜାଣିଥିବା ସୁନୀଲ ବିଦେଶରେ ଯାଇ ଚାକିରି କରିବା ଲାଗି ଏକ ସଂସ୍ଥା ନିକଟରେ ଆବେଦନ କରିଥିଲେ। ଡକରା ପାଇ ବିଶାଖାପାଟଣାରେ ଚାକିରି ପାଇଁ ସାକ୍ଷାତକାର ମଧ୍ୟ ଦେଇଥିଲେ। ତାଙ୍କୁ ଇରାକରେ ଚାକିରି ପାଇଁ ଏକ ସଂସ୍ଥା ଚୟନ କରିଥିଲା। ଏହାପରେ କିଛି ଦିନ ଦିଲ୍ଲୀରେ ତାଙ୍କୁ ସଂସ୍ଥା ରଖିଥିଲା। ସେଠାରେ ସୁନୀଲ ୧ ଲକ୍ଷ ଟଙ୍କା ସଂସ୍ଥା ନିକଟରେ ଜମା କରିଥିଲେ। ହଠାତ ଦିନେ ତାଙ୍କୁ ଇରାକ ଯିବାକୁ କୁହାଯାଇଥିଲା। ବିମାନଯାତ୍ରା ପୂର୍ବରୁ ବିମାନବନ୍ଦରରେ ତାଙ୍କୁ ଚାକିରି ସଂପର୍କିତ କାଗଜପତ୍ର ସଂସ୍ଥା ପଦାଧିକାରୀ ପ୍ରଦାନ କରିଥିଲେ।  ବିମାନଯାତ୍ରା ସମୟରେ ‌ସେ କାଗଜପତ୍ର ଯାଞ୍ଚ କରିଥିଲେ। ଏଥିରୁ ସୁନୀଲ ଜାଣିବାକୁ ପାଇଥିଲେ ଯେ ଯେଉଁ କାମ ତାଙ୍କୁ ଦିଆଯିବ ବୋଲି କୁହାଯାଇଥିଲା ତା ଠାରୁ ନିମ୍ନମାନର କାମରେ ତାଙ୍କୁ ନିଯୋଜିତ କରାଯିବ। ବାଗଦାଦରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରୁ ବନ୍ଧୁକଧାରୀ ଥିବା ଗାଡିରେ ୧୨୦ କି.ମି. ଦୂର ବାବିଲନ ନାମକ ସ୍ଥାନକୁ ନିଆଯାଇଥିଲା। ସେଠାରେ ଏକ ନିର୍ମାଣସ୍ଥଳରେ ତାଙ୍କୁ ପହଞ୍ଚା ଯାଇଥିଲା। ସେଠାରେ ତାଙ୍କ ପାସପୋର୍ଟ ଓ ମୋବାଇଲ ଫୋନ୍ ଜୋର ଜବରଦସ୍ତ କରି ଛଡାଇ ନିଆଯାଇଥିଲା। ସୁନୀଲଙ୍କୁ ମାଡ଼ ମରାଯିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା। ଅନ୍ୟ ଶ୍ରମିକଙ୍କ ସହିତ ଏକ ବଙ୍କର ଭିତରେ ତାଙ୍କୁ ରଖାଯାଇଥିଲା। ଖାଇବାକୁ ଦିଆଯାଇ ନଥିଲା। ଅନ୍ୟ ଜଣଙ୍କ ଫୋନରୁ ସେ କୌଣସି ମତେ ବଙ୍କର ଭିତରୁ ଭଉଣୀଙ୍କୁ ଯୋଗାଯୋଗ କରିଥିଲେ। ତାଙ୍କର ଦୂରାବସ୍ଥା ବିଷୟରେ ଭଉଣୀଙ୍କୁ ଜଣାଇବା ସହିତ ଉଦ୍ଧାର ପାଇଁ ନିବେଦନ କରିଥିଲେ। ତାଙ୍କୁ ଯଦି ତୁରନ୍ତ ଉଦ୍ଧାର କରା ନ ଯାଏ ତେବେ କିଛି ଦିନ ପରେ ମୃତ୍ୟୁ ସୁନିଶ୍ଚିତ ବୋଲି ସୁନୀଲ କହିଥିଲେ।

ଏହାପରେ ସୁନୀଲଙ୍କ ଭଉଣୀ ଏ ନେଇ ବାଲୁଗାଁ ଥାନା ଆଆଇସିଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିବା ସହିିତ ଭାଇକୁ ଉଦ୍ଧାର ପାଇଁ ନିବେଦନ କରିଥିଲେ। କିନ୍ତୁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା। ଏହାପରେ ସୁନୀଲଙ୍କ ଉଦ୍ଧାର ପାଇଁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ଖୋର୍ଦ୍ଧା ଏସପି, ଜିଲ୍ଲାପାଳ, ବାଲୁଗାଁ ଥାନା ଆଇଆଇସି ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।

Leave A Reply

Your email address will not be published.