କୋଭିଡ୍ ସାର୍ଟିଫିକେଟରେ ତ୍ରୁଟି ସଂଶୋଧନ ଲାଗି ୱେବସାଇଟ ଖୋଲ: କେନ୍ଦ୍ରକୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କୋଭିଡ ଟିକାକରଣ ସାର୍ଟିଫିକେଟରେ ତ୍ରୁଟି ଅଭି‌େଯାଗ ସଂଶୋଧନ ଲାଗି ୱେବସାଇଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଭୁବନେଶ୍ବରର ନରେନ୍ଦ୍ର କୁମାର ଦାସ ଓ ତାଙ୍କ ପତ୍ନୀ ନେଇଥିବା କରୋନା ପ୍ରତିଷେଧକ ଟିକା ବାବଦରେ ପ୍ରଦାନ କରାଯାଇଥିବା ସାର୍ଟିଫିକେଟ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟିକା ସାର୍ଟିଫିକେଟରେ ତ୍ରୁଟି ଯୋଗୁଁ ବହୁ ନାଗରିକ ସମସ୍ୟାର ସମ୍ମୁଖୀନ ‌ହେଉଛନ୍ତି ବୋଲି ହାଇକୋର୍ଟ କହିବା ସହିତ ଏହି ପ୍ରସଙ୍ଗରେ ଆବଶ୍ୟକ ପ୍ରସ୍ତାବ ଉପସ୍ଥାପନ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିକା ସାର୍ଟିଫିକେଟରେ ତ୍ରୁଟି ସଂଶୋଧନ ପାଇଁ ୱେବସାଇଟ ଖୋଲିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। କରୋନା ଟିକା ସାର୍ଟିଫିକେଟରେ ତ୍ରୁଟି ସଂଶୋଧନ ପାଇଁ ନିର୍ଦ୍ଦିଷ୍ଟ ୱେବସାଇଟ ଅଣାଯିବା ସହ ଏ ନେଇ ବ୍ୟାପକ ପ୍ରଚାର ପ୍ରସାର କରାଯିବା ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି। ସାଧାରଣ ଲୋକଙ୍କ ଅବଗତ ନିମନ୍ତେ ଏଭଳି ପ୍ରଚାର ପ୍ରସାର କରାଇବାକୁ ହାଇକୋର୍ଟ କହିଛନ୍ତି।  ଅନ୍ୟପଟରେ ଆବେଦନକାରୀ କରୋନା ଟିକା ନେଇଥିବା ସମୟ ଓ ସ୍ଥାନର ପ୍ରମାଣ ଦେଇସାରିଥିବାରୁ ତାଙ୍କୁ ଶୀଘ୍ର ସଂଶୋଧିତ ସାର୍ଟିଫିକେଟ ପ୍ରଦାନ ପାଇଁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଦୁଇଟି ଯାକ ଡୋଜ୍ କରୋନା ପ୍ରତିଷେଧକ ଟିକା ୨୦୨୧ ମାର୍ଚ୍ଚ ୧ ଓ ଏପ୍ରିଲ ୧ରେ ନେଇଥିଲେ। କିନ୍ତୁ ତାଙ୍କୁ ମିଳିଥିବା ଟିକା ସାର୍ଟିଫିକେଟରେ ପ୍ରଥମ ଡୋଜ ମାର୍ଚ୍ଚ ୮ରେ ଓ ଦ୍ୱିତୀୟ ଡୋଜ୍ ଅଗଷ୍ଟ ୧୯ରେ ଦିଆଯାଇଥିବା ନେଇ ଉଲ୍ଲେଖ ଥିଲା।  ଏପରି କି ଟିକା ନେଇଥିବା ସ୍ଥାନ ଓ ତାରିଖ ସବୁ ତ୍ରୁଟିପୂର୍ଣ୍ଣ ଥିଲା।  ଫଳରେ ଆବେଦନକାରୀ ନିର୍ଦ୍ଧାରିତ ତାରିଖରେ ବୁଷ୍ଟର ଡୋଜ୍ ନେଇ ପାରି ନଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୧ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.