ଅଧ୍ୟାପକଙ୍କ ପାଠପଢ଼ାରେ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିବା ଆସିଲା ଅନ୍‌ଲାଇନ୍‌ ଫିଡ୍ ବ୍ୟାକ୍‌, ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଧ୍ୟାପକଙ୍କ ପାଠପଢ଼ାରେ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିବା ଆସିଲା ଅନ୍‌ଲାଇନ୍‌ ଫିଡ୍ ବ୍ୟାକ୍‌। ଅନ୍‌ଲାଇନ୍‌ ଫିଡ୍ ବ୍ୟାକ୍ ବ୍ୟବସ୍ଥାରେ ଉଚ୍ଚଶିକ୍ଷା ବିଭାଗ ପାଖରେ ପହଞ୍ଚିଛି ଏହି ଅଭିଯୋଗ। ଛାତ୍ରଛାତ୍ରୀଙ୍କ ଠାରୁ ଏହିଭଳି ମାଳ ମାଳ ଅଭିଯୋଗ ପାଇବା ପରେ ସମ୍ପୃକ୍ତ କଲେଜଗୁଡିକୁ ରିପୋର୍ଟ ମାଗିଛି ଉଚ୍ଚ ଶିକ୍ଷା ବିଭାଗ। ୧୦ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି। ବିଜେବି, ମହର୍ଷି ଓ ଏସ୍‌ସିଏସ୍‌ ଭଳି ଅଗ୍ରଣୀ ଡିଗ୍ରୀ କଲେଜ ଅଛନ୍ତି ଏହି ତାଲିକାରେ। ପାଠପଢ଼ା ଓ ଅଧ୍ୟାପକଙ୍କ ବ୍ୟବହାର ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନଲାଇନ ଫିଡ୍ ବ୍ୟାକ୍ ବ୍ୟବସ୍ଥା ରହିଛି। ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ କଲେଜର ଅଧ୍ୟାପକଙ୍କ ସମ୍ପର୍କିତ କିଛି ପ୍ରଶ୍ନ ପଚରା ଯାଇଛି। ଅଧ୍ୟାପକମାନେ ୭ ଘଣ୍ଟା କାଳ କଲେଜରେ ରହୁଛନ୍ତି କି ବୋଲି ପଚରାଯାଇଥିବା ପ୍ରଶ୍ନରେ ଅଧିକାଂଶ ପିଲା ‘ନା’ ବୋଲି ଉତ୍ତର ଦେଇଛନ୍ତି।

ସେହିପରି ଅଧ୍ୟାପକ ମାନେ ମଦ୍ୟପାନ କରି କଲେଜ ଆସୁଛନ୍ତି କି ବୋଲି ପଚରା ଯାଇଥିବା ପ୍ରଶ୍ନରେ କିଛି ଛାତ୍ରଛାତ୍ରୀଙ୍କ ଉତ୍ତର ‘ହଁ’ ରହିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ଉଚ୍ଚଶିକ୍ଷା ବିଭାଗ। ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ପିଲାଙ୍କ ଫିଡ୍ ବ୍ୟାକ୍‌କୁ ଆଧାର କରି ଗୁଣାତ୍ମକ ଶିକ୍ଷା ଲାଗି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଏକ ଚିଠି ସାମ୍ନାକୁ ଆସିଛି, ଯାହାକୁ ରେଜିଷ୍ଟ୍ରାର ସମସ୍ତ ଅଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କୁ ପଠାଇଛନ୍ତି। ତାଙ୍କ ଚିଠି ଅନୁଯାୟୀ, ଏହି ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀ କେହି ଠିକ୍ ସମୟରେ ଆସୁନାହାନ୍ତି। ସେଥିପାଇଁ ସକାଳ ୧୦ ଟା ସୁଦ୍ଧା ବାୟୋମେଟ୍ରିକ ଉପସ୍ଥାନ ଦେବାକୁ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ବିଳମ୍ବରେ ଆସିଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.