ଓଡ଼ିଶା ନ୍ୟୁଜ୍ (ବ୍ୟୁରୋ): ପଞ୍ଜାବରେ ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି । ଦିନକୁ ଦିନ ଦୁର୍ବୁତ୍ତଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି । ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଏବେ ତାଙ୍କ ବାପାଙ୍କୁ ଜୀବନରେ ମାରିଦେବାକୁ ଚାଲିଛି ଯୋଜନା। ମୁସେୱାଲାଙ୍କ ବାପାଙ୍କୁ ମିଳିଛି ହତ୍ୟା ଧମକ। ଇନ୍ଷ୍ଟାଗ୍ରାମ ପୋଷ୍ଟରେ ତାଙ୍କୁ ଏଭଳି କିଛି ଧମକ ଦିଆଯାଇଛି।ଏହି ସୂଚନା ମିଳିବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ଇନ୍ଷ୍ଟାଗ୍ରାମରେ ‘ଦ୍ୱିତୀୟ ନମ୍ବର ବାପାର’ ବୋଲି ଲେଖା ହୋଇଛି। ମୁସେୱାଲାଙ୍କ ବାପାଙ୍କୁ ଏହି ଧମକ ପାକିସ୍ତାନରୁ ମିଳିଥିବା ଜଣାପଡିଛି। ଏନେଇ ସେ ପୁଲିସକୁ ଜଣାଇଛନ୍ତି। ପୁଲିସ ମାମଲାର ଯାଞ୍ଚ କରୁଛି। ଏହି ଷଡଯନ୍ତ୍ର ପଛରେରେ ପାକିସ୍ତାନୀ ଲିଙ୍କ ସାମ୍ନାକୁ ଆସିବା ଏକ ବଡ କଥା ବୋଲି କୁହାଯାଉଛି।
ପୂର୍ବରୁ ସିଦ୍ଧୁ ମୁସେୱାଲା ହତ୍ୟା ମାମଲା ନେଇ ଯେଉଁ ଅନୁସନ୍ଧାନ କରାଯାଇଛି, ତାହା କେବଳ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଏବଂ ଲରେନ୍ସ ବିଷ୍ଣୋଇଙ୍କ ମଧ୍ୟରେ ସୀମିତ ରହିଛି। କିନ୍ତୁ ବର୍ତ୍ତମାନ ଯଦି ସିଦ୍ଧୁ ମୁସେୱାଲାଙ୍କ ବାପାଙ୍କୁ ପାକିସ୍ତାନରୁ ହତ୍ୟା ଧମକ ମିଳିଛି, ତେବେ ପୁଲିସ ପାଇଁ ଏହି ମାମଲା ଜଟିଳ ହୋଇପାରେ। ତେବେ ମୁସେୱାଲାଙ୍କ ବାପାଙ୍କୁ କିଏ ଏଭଳି ଧମକ ଦେଇଛି ତାହା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇନାହିଁ। ମୁସେୱାଲାଙ୍କ ବନ୍ଧୁମାନେ ଏହାକୁ ପାକିସ୍ତାନ ଲିଙ୍କ ବୋଲି କହୁଛନ୍ତି। ହେଲେ ପୁଲିସ କିନ୍ତୁ ଏ ବିଷୟରେ ସ୍ପଷ୍ଟ ରୂପେ କିଛି କହିନାହିଁ। ତେଣୁ ଏହି ହତ୍ୟା ଧମକ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେଣୁ ଏହି ଧମକ ପଛରେ କିଏ ତାହା ଖୁବଶୀଘ୍ର ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।