ଓଡିଆ ନ୍ୟୁଜ (ବ୍ୟୁରୋ) : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ସହିଦଙ୍କ ଗାଁ’କୁ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ୍ । ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କ ପରିବାରକୁ ଭେଟିଥିଲେ ନିର୍ମଳା । ତାଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ କରିଥିଲେ । ଏହି ସମୟରେ ପୁରୀର ବୀରପୁଅ ଜିତେନ୍ଦ୍ର କୁମାର ପ୍ରଧାନଙ୍କ ପରିବାରକୁ ଡକାଯାଇଥିଲା । ମଞ୍ଚ ଉପରକୁ ଆସିଥିଲେ ଜିତେନ୍ଦ୍ରଙ୍କ ମାଆ, ଯାହାଙ୍କୁ ଦେଖି ପାଦ ଛୁଇଁ ମୁଣ୍ଡ ନୁଆଁଇ ଆଶୀର୍ବାଦ ନେଇଥିଲେ । ଏହାପରେ ଜିତେନ୍ଦ୍ରଙ୍କ ବୃଦ୍ଧା ମାଆଙ୍କୁ କୁଣ୍ଢେଇ ପକେଇଥିଲେ ନିର୍ମଳା । ଆଉ ପୁଅକୁ ମନେପକାଇ ଭାବବିହ୍ୱଳ ହୋଇଯାଇଥିଲେ ଜିତେନ୍ଦ୍ରଙ୍କ ମାଆ ।
ଅନ୍ୟପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରଥମ କରି ପୁରୀ ବୀରହରେକୃଷ୍ଣପୁର ଗାଁ’କୁ ଆସିଥିବାରୁ ସମସ୍ତେ ବେଶ୍ ଉତ୍ସାହିତ ଥିଲେ । ନିର୍ମଳାଙ୍କ ସହ ଫଟୋ ଉଠାଇବାକୁ ଚାହୁଁଥିଲେ । ଗାଁରେ ଘର ଘର ବୁଲି ମାଟି ସଂଗ୍ରହ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହା ପରେ ଏକ ଜନସଭାରେ ସାମିଲ ହୋଇଥିଲେ । ସଭା ମଂଚରୁ କେତେବେଳେ ଫେରିବେ ନିର୍ମଳା ଓ ତାଙ୍କ ସହ ଫଟୋ ଉଠାଇବେ ତାକୁ ଅପେକ୍ଷା କରିରହିଥିଲେ ଗାଁଲୋକେ । ଏହାରି ଭିତରେ ନିର୍ମଳା ସଭା ମଂଚରୁ ଓହ୍ଳାଇବା ବେଳେ ମମତା ମହାପାତ୍ର ନାମକ ଗାଁର ଜଣେ ମହିଳା ଅର୍ଥମନ୍ତ୍ରୀଙ୍କ ସହ ସେଲ୍ଫି ନେବାକୁ ଯାଇଥିଲେ କିନ୍ତୁ ପ୍ରବଳ ଗହଳି କାରଣରୁ ସେ ଅଜାଣତରେ ଅର୍ଥମନ୍ତ୍ରୀଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲେ । ଏଥିରେ ନିର୍ମଳା ରାଗିନଯାଇ ଅଟକି ଯାଇଥିଲେ ଏବଂ ମହିଳାଙ୍କୁ ସେଲ୍ଫି ନେବାକୁ କହିଥିଲେ । ତଥାପି ମହିଳା ଜଣକ ସେଲ୍ଫି ନେଇ ପାରିନଥିଲେ, ତେଣୁ ନିର୍ମଳା ସୀତାରମଣ ମହିଳାଙ୍କ ହାତରୁ ଫୋନ୍ ନେଇ ଆସି ନିଜେ ସେଲ୍ଫି ନେଇଥିଲେ । ପୁରୀ ଗସ୍ତ ବେଳେ ତାଙ୍କର ଏହି ସରଳତା ପୁଣି ଥରେ ଦେଖିବାକୁ ମିଳିଛି ।
ସୂଚନାଥାଉକି, କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ସକାଳେ ସେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର କାର୍ୟ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିରକୁ ନିଆଯାଇଥିଲା। ସୀତାରମଣ ଭିତରକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରି ବେହରଣ ଦ୍ୱାର ଦେଇ ଫେରି ଥିଲେ। ପରେ ମୁକ୍ତିମଣ୍ଡପରେ ପ୍ରଣାମ କରି ମା’ ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ। ପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ପାଟଅଗଣା ଦେଇ ବାହାରକୁ ଆସିଥିଲେ। ଶ୍ରୀଜିଉଙ୍କୁ ଦର୍ଶନ କରି ବିମୋହିତ ହୋଇଯାଇଛନ୍ତି ବୋଲି କହିଛନ୍ତି।
ସୀତାରମଣଙ୍କ ସହ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର,ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଗତକାଲି ରାତିରେ ନିର୍ମଳା ସୀତାରମଣ ପୁରୀରେ ରାତ୍ରିଯାପନ କରିଥିଲେ। ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ୯ଟା ୧୫ରୁ ୧୦ଟା ୧୫ ମଧ୍ୟରେ ‘ମୋ ମାଟି ମୋ ଦେଶ ଅଭିଯାନରେ ପୁରୀ ପେଣ୍ଠକଟା ଠାରେ ଥିବା ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ତିନିହଜାର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହାପରେ ୧୦ଟା ୩୦ ରୁ ୧୧ଟା ୧୫ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ଗାଁ ବୀରହରେକୃଷ୍ଣପୁରକୁ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।