କିପରି ପ୍ରସ୍ତୁତ କରିବେ ପଣାସଂକ୍ରାନ୍ତିର ପଣା?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପଣା ସଂକ୍ରାନ୍ତଠୁ ଓଡିଆ ମାସ ବୈଶାଖ ମାସ ଆରମ୍ଭ ହୁଏ । ଏହି ଦିନ ଭଗବାନଙ୍କ ନିକଟରେ ପଣାଭୋଗ ଲାଗି ହୋଇଥାଏ । ସୂର୍ଯ୍ୟଦେବ ଯେତେବେଳେ ମେଷ ରାଶିରେ ପ୍ରବେଶ କରନ୍ତି, ସେତେବେଳେ ରାଶି ଚକ୍ରର ଆରମ୍ଭ ହୋଇଥାଏ ଏବଂ ସେହି ଦିନଠୁ ଓଡିଆ ନବବର୍ଷ ରୂପେ ପାଳନ କରାଯାଏ । ସୂର୍ଯ୍ୟଦେବ ଏହି ଦିନଠୁ ମେଷ ରାଶିରେ ପ୍ରବେଶ କରୁଥିବାରୁ ଏହାକୁ ମେଷ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ସମସ୍ତ ରୋଗରୁ ମୁକ୍ତି ପାଇଁ ସୂର୍ଯ୍ୟ ଦେବଙ୍କୁ ଶୀତଳ ଜଳ ଅର୍ପଣ କରାଯାଏ ।

ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବାଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ପଣା..

ଆବଶ୍ୟକୀୟ ସାମଗ୍ରୀ
-୧କପ୍‌ ମିକ୍ସ ଛତୁଆ (ଖଇ, ଗହମ, ବୁଟ)
-ଏକ ଗ୍ଲାସ ଥଣ୍ଡା କ୍ଷୀର
-ଛୋଟ ଛୋଟ କଟାଯାଇଥିବା ସେଓ, ଅଙ୍ଗୁର, କଦଳୀ, ଡାଳିମ୍ବ
-ଦହି
-ଛେନା
– କୋରା ଆମ୍ବ ଓ ନଡିଆ
-ଗୁଡ
-କଟା କାଜୁ ବାଦାମ
-ଗୁଜୁରାତି ଓ ଗୋଲମରିଚ ଗୁଣ୍ଡ

ପ୍ରସ୍ତୁତି : ପ୍ରଥମେ ଏକ ପାତ୍ରରେ ଛତୁଆ ଓ ଦହି ଓ କଦଳୀକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ପରେ ସ୍ୱାଦ ଅନୁସାରେ ଗୁଡ ଓ ଥଣ୍ଡା କ୍ଷୀର ପକାନ୍ତୁ ଓ ଭଲଭାବେ ଗୋଳାଇ ଦିଅନ୍ତୁ । ଏହାପରେ ଛେନା ଓ କୋରା ନଡିଆକୁ ପକାଇ ମିଶାଇ ନିଅନ୍ତୁ । ମିଶାଇଲା ପରେ କାଟିକି ରଖିଥିବା ସବୁ ଫଳ, କୋରା ଆମ୍ବ ପକାଇ ପୁଣି ଗୋଳାଇ ଦିଅନ୍ତୁ । ଏହା ଭଲଭାବେ ମିଶିଲା ପରେ ଡାଳିମ୍ବ, ଗୁଜୁରାତି ଓ ଗୋଲମରିଚ ଗୁଣ୍ଡ ସହ କାଜୁ ବାଦାମ ପକାଇ ଦିଅନ୍ତୁ । ବାସ୍‌ ପ୍ରସ୍ତୁତ ହୋଇଗଲା ଆମ ପଣାସଂକ୍ରାନ୍ତିର ସ୍ୱାଦିଷ୍ଟ ପଣା ।

Leave A Reply

Your email address will not be published.