ସ୍ଵାମୀ ନେଲେ ଅବସର, ସ୍ତ୍ରୀ ହେଲେ ମୁଖ୍ୟ ଶାସନ ସଚିବ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେରଳରେ ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶାରଦା ମୁରଲୀଧରନ୍ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି। ବିଶେଷ କଥା ହେଉଛି, ଶାରଦା ମୁରଲୀଧରନ୍ ତାଙ୍କ ସ୍ଵାମୀ ଭି. ବେଣୁଙ୍କ ସ୍ଥାନ ନେଇଛନ୍ତି। ଭି. ବେଣୁ ଗତ ଅଗଷ୍ଟ ୩୧ରେ ଅବସର ଗ୍ରହଣ କରିଛନ୍ତି। କେରଳ ରାଜ୍ୟରେ ଏହା ପ୍ରଥମ ଥର ଘଟିଛି ଯେ, ଜଣେ ଆଇଏଏସ୍ ଅଧିକାରୀ ନିଜ ପତ୍ନୀଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ତେବେ ସୂଚନା ମୁତାବକ, ଏହି ଆଇଏଏସ୍‌ ଦମ୍ପତି ହେଲେ ଡା. ବେଣୁ ବି ଓ ତାଙ୍କ ପତ୍ନୀ ଶାରଦା ମୁରଲିଧରନ। ଡା. ବେଣୁ ବି କେରଳରେ ମୁଖ୍ୟ ଶାସନ ସଚିବ ପଦରେ କାର୍ଯ୍ୟ କରୁଥିବା ବେଳେ ଗତ ୩୧ ତାରିଖରେ ନିଜ ଚାକିରିରୁ ଅବସର ନେଇଛନ୍ତି। ଡା. ବେଣୁ ବିଙ୍କ ପରେ ଏହି ପଦ ନିମନ୍ତେ କେରଳ ସରକାର ତାଙ୍କ ପତ୍ନୀ  ଶାରଦା ମୁରଲିଧରନଙ୍କ ନାମ ଫାଇନାଲ୍‌ କରିଥିଲେ।  ତେଣୁ ଡା. ବେଣୁ ବି ନିଜ ପତ୍ନୀ ତଥା ସଚିବ ପଦରେ ଥିବା ଶାରଦା ମୁରଲିଧରନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ଏନେଇ ଥିରୁଅନନ୍ତପୁରମ୍‌ସ୍ଥିତ ସଚିବାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ପତିପତ୍ନୀ ଯୋଗ ଦେଇଥିବା ବେଳେ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଉଭୟ ବେଣୁ ଏବଂ ଶାରଦା ମୁରଲୀଧରନ୍ ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ, ବେଣୁ ତାଙ୍କ ପତ୍ନୀଙ୍କଠାରୁ କିଛି ମାସ ବଡ଼। ଶାରଦାଙ୍କର ବିଭିନ୍ନ ବିଭାଗରେ ଉତ୍କୃଷ୍ଟ କ୍ୟାରିଅର୍ ରହିଛି। ଏହି ପରିବର୍ତ୍ତନକୁ ଏକ ଅଦ୍ଭୁତ ଅନୁଭୂତି ବୋଲି ସେ କହିଛନ୍ତି। ସ୍ୱାମୀଙ୍କ ଅବସର ପରେ ପରବର୍ତ୍ତୀ ଆଠ ମାସ ପାଇଁ ସେ ଏହି ପଦରେ ରହିବେ।

Comments are closed.