ଓଡ଼ିଆ ନ୍ୟୁଜ(ବ୍ୟୁରୋ): ‘ଆଇସିସି’ ବିଶ୍ବକପ୍ ୨୦୨୩ ପାଇଁ ବଦଳି ପାରେ ଅକ୍ଟୋବର ୧୫ରେ ଥିବା ଭାରତ-ପାକିସ୍ତାନ ମ୍ୟାଚ୍। ନବରାତ୍ରୀ ମହୋତ୍ସବ ପଡୁଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ‘କ୍ରିକେଟ୍ ବିଶ୍ବକପ୍ ୨୦୨୩’ର କାର୍ଯ୍ୟସୂଚୀ ବଦଳିପାରେ ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଅହମଦାବାଦରେ ଅକ୍ଟୋବର ୧୫ରେ ଏହି ମ୍ୟାଚ୍ ଖେଳାଯିବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ, ‘ଆଇସିସି’ଦ୍ବାରା ଯେଉଁ ସମୟ-ସୂଚୀ ନିର୍ଦ୍ଧାରଣ କରାଯାଇଛି ତାହା ହେଉଛି ନବରାତ୍ରୀର ପ୍ରଥମ ଦିବସ। ସେଦିନ ସମଗ୍ର ଗୁଜରାଟରେ ‘ଗର୍ବା ରାତ୍ରୀ’ ପାଳନ କରାଯାଏ। ନିରାପତ୍ତା କାରଣରୁ ଖେଳାଳିମାନଙ୍କର ଯାତ୍ରା ପଥ ମଧ୍ୟ ପରିବର୍ତ୍ତନ କରିବା ଉପରେ ପୁନର୍ବିଚାର କରିବା ଲାଗି ‘ବିସିସିଆଇ’କୁ କୁହାଯାଇଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ନବରାତ୍ରୀ ମହୋତ୍ସବ କାରଣରୁ ଖେଳ ତାରିଖ ପରିବର୍ତ୍ତନ କରିବା ଲାଗି ସୁରକ୍ଷା ଏଜେନ୍ସିମାନେ ‘ବିସିସିଆଇ’କୁ ସତର୍କ କରାଇଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ବକପ୍ ମ୍ୟାଚ୍ ସମୟ-ନିର୍ଘଣ୍ଟ ବଦଳି ପାରେ।ଖୁବ୍ ଶୀଘ୍ର ଏ ସଂକ୍ରାନ୍ତରେ ଆଲୋଚନା କରାଯିବ। ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବା ପରେ ଯାହାକିଛି ଘୋଷଣା କରାଯିବ ବୋଲି ଉପରୋକ୍ତ ସୂତ୍ର ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ପ୍ରାୟ ୧ ଲକ୍ଷ ଦର୍ଶକ ବସିବା ଭଳି ସାମର୍ଥ୍ୟ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଏହି ବିଶ୍ବକପ୍ର ୪ଟି ମ୍ୟାଚ୍ ଆୟୋଜନ କରିବ। ନ୍ୟୁଜିଲାଣ୍ଡ୍-ଇଂଲଣ୍ଡ୍, ଭାରତ-ପାକିସ୍ତାନ, ଇଂଲଣ୍ଡ୍-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ତଥା ଫାଇନାଲ୍ ମ୍ୟାଚ୍ ଉକ୍ତ ଷ୍ଟାଡିୟମ୍ରେ ଖେଳାଯିବ।