ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର ହେଲେ ରାଜ୍ୟସରକାର। ୯ ଅଧିକାରୀଙ୍କ ବିରେଧରେ ନେଇଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ। ୩ ଜଣଙ୍କୁ ଚାରିକରୁ ବରଖାସ୍ତ କରିଥିବାବେଳେ ୬ ଜଣଙ୍କର ପେନସନ ବନ୍ଦ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏ ପର୍ଯ୍ୟନ୍ତ ୧୯୭ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସାରିଲେଣି । ଏହି ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଏକ୍ଜିକ୍ୟୁଟିଭ ଇଂଜିନିୟର, ଓଏଏସ୍ ଅଧିକାରୀ, କୃଷି ବିଭାଗ ଅଧିକାରୀ, ସାମାଜିକ ଶିକ୍ଷା ଅଧିକାରୀ, ଅଡିଟର, ଜୁନିଅର ଇଂଜିନିୟର ପ୍ରମୁଖ । ଏହି ୯ ଜଣଙ୍କ ମଧ୍ୟରୁ କଟକ ଜିଲ୍ଲା RWSS Division-IIର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶିବରାମ ବିଶ୍ବାଳ ଏକ ଦୁର୍ନୀତି ମାମଲାରେ ଦେଷୀସାବ୍ୟସ୍ତ ହୋଇଛନ୍ତି। ତାଙ୍କର ପେନ୍ସନକୁ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ସେହିପରି କଳାହାଣ୍ଡି ଜିଲ୍ଲା କାର୍ଲାମୁଣ୍ଡା ବ୍ଳକ୍ର ପୂର୍ବତନ ବିଡିଓ (ଅବସରପ୍ରାସ୍ତ ଓଏଏସ ଅଧିକାରୀ) ଶ୍ରୀ ଗଣ୍ଡାରାମ ଖମାରୀ ଏକ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟି ସ୍ଥାୟୀ ଭାବେ ବନ୍ଦ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟର ପୂର୍ବତନ ସହକାରୀ କୃଷି ଅଧିକାରୀ ଶ୍ରୀ ଗୋକୁଳ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଦୁର୍ନୀତି, ଅପାରଗତା କାରଣରୁ ତାଙ୍କୁ ଚାକୀରିରୁ ବହିଷ୍କୃତ କରାଯାଇଛି। ଜି. ଉଦୟଗିରିର ପୂର୍ବତନ ସହକାରୀ କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ଗୌଡ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। ମାଲକାନଗିରି ଜିଲ୍ଲାର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ ଶ୍ରୀ ଦାଶରଥୀ ତ୍ରିପାଠୀ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। ବରଗଡ ଜିଲ୍ଲା ସୋହେଲା RWSSର ପୂର୍ବତନ ଜୁନିଅର ଇଂଜିନିୟର ଶ୍ରୀ ଉପେନ୍ଦ୍ରଭଂଜ ନାୟକ ଜଣେ ସରକାରୀ ଅଧିକାରୀ ହେବା ସତ୍ତ୍ବେ କାର୍ଯ୍ୟରେ ସଚ୍ଚୋଟତା ରକ୍ଷା କରିବାରେ ଏବଂ କର୍ତ୍ତବ୍ୟ ପରାୟଣତାରେ ବିଫଳ ହୋଇଥିଲେ। ଏହାସହିତ ତାଙ୍କର ବ୍ୟବହାରରେ ଶିଷ୍ଟାଚାର ମଧ୍ୟ ନଥିଲା। ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାକିରୀରୁ ବହିଷ୍କୃତ କରାଯାଇଛି। ସୁନ୍ଦରଗଡ ଜିଲ୍ଲା ଲୋକାଲ ଫଣ୍ଡ ଅଡିଟ ବିଭାଗର ପୂର୍ବତନ ଅଡିଟର ଶ୍ରୀ ସୁଶିଲ କୁମାର ମେହେର ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁର୍ନୀତି ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି। ମୟୁରଭଂଜ ଉଦଳାର ପୂର୍ବତନ ସାମାଜିକ ଶିକ୍ଷା ଅଧିକାରୀ ଶ୍ରୀ ଆନନ୍ଦ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଯୋଗୁ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। ନୟାଗଡ ଜିଲ୍ଲା ଚାନ୍ଦପୁରର ପୂର୍ବତନ DMSN ସୁପରିନ୍ଟେଣ୍ଡେଟ ଡଃ ସୁରେନ୍ଦ୍ର ନାଥ ପତି ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସ୍ଥାୟୀ ଭାବେ ବନ୍ଦ କରାଯାଇଛି ପେନ୍ସନ।