ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଆସୁଛି ଲଘୁଚାପ । ଦଶହରା ବେଳକୁ ଭିଜି ପାରେ ରାଜ୍ୟ । ଦୁର୍ଗାପୂଜା ବେଳକୁ ଏକ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ପାଗ କୋହଲା ରହିପାରେ । ପାଣିପାଗ ସୂଚନା ଅନୁଯାୟୀ, ଏହି ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ।
୨୪ତାରିଖରେ ଏହା ଓଡିଶା ଉପକୂଳକୁ ଛୁଇଁବାର ସମ୍ଭାବନା ରହିଛି । ଗୋପାଳପୁରରୁ ଚିଲିକା ମଝିରେ ଏହା ସ୍ଥଳଭାଗ ଛୁଇଁପାରେ । ସେହିପରି ସାମ୍ଭାବ୍ୟ ଲଘୁଚାପ ବାଂଲାଦେଶ ଆଡକୁ ମୁହାଁଇବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୮/୧୯ ତାରିଖବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଆସନ୍ତା ୨୨ଓ ୨୩ ତାରିଖରେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ୨୩ ତାରିଖବେଳକୁ ଏହା ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରଭାବ ପକାଇବ ।
୨୫ ତାରିଖବେଳକୁ ଉତ୍ତର ଓଡ଼ିଶା ଉପକୂଳରେ ପ୍ରବେଶ କରିପାରେ । ଏହା ପ୍ରଭାବରେ ୨୩ରୁ ୨୬ ପର୍ୟ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ମୁଖ୍ୟତଃ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି ।