ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ସନ୍ଧ୍ୟାରେ ଏନଡିଏର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ NDA ମେଣ୍ଟର ସମସ୍ତ ସହଯୋଗୀ ଯୋଗ ଦେଇଥିଲେ । ମୋଟାମୋଟି ଭାବେ ଦେଖିବାକୁ ଗଲେ ଦେଶରେ ଆଶାନୁରୂପ ଭଲ ପ୍ରଦର୍ଶନ କରିପାରନାହିଁ ବିଜେପି । ହେଲେ ମେଣ୍ଟର ସହଯୋଗ ଭାଜପାକୁ ସରକାର ଗଢିବାରେ ସହାୟକ ହୋଇଛି । ଏନେଇ ବୈଠକରେ NDA ଅଧୀନରେ ଥିବା ବିଭିନ୍ନ ଦଳର ନେତାମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ବିଜେପିର ଶୀର୍ଷ ନେତା ।
ରାଜନାଥ ସିଂହ, ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସହଯୋଗୀ ଦଳମାନଙ୍କ ସହ ସରକାର ଗଠନ ନେଇ ଆଲୋଚନା କରିବେ । ଆସନ୍ତାକାଲି ବିଜେପି ସଂସଦୀୟ ଦଳର ପ୍ରଥମ ବୈଠକ ଅନୁଷ୍ଠିତ ହେବ ଏବଂ ପରେ ଏନଡିଏ ସଂସଦୀୟ ଦଳର ବୈଠକ ବସିବ । ଏହାପରେ ଏନଡିଏ ରାଷ୍ଟ୍ରପତିଙ୍କୁ ସମର୍ଥନ ପତ୍ର ପ୍ରଦାନ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ସଂସଦୀୟ ଦଳର ନେତା ନିର୍ବାଚିତ ହୋଇଛନ୍ତି । NDA ଅଧୀନରେ ଥିବା ସହଯୋଗୀ ଦଳମାନେ ସେମାନଙ୍କ ସମର୍ଥନ ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ।
ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଅନେକ ପ୍ରସ୍ତାବ ପାରିତ ହୋଇଥିବା କୁହାଯାଉଛି । ବୈଠକ ଶେଷ ପରେ ଫଟୋ ସେସନ ବି ହୋଇଛି । ସମସ୍ତଙ୍କ ତରଫରୁ ଗ୍ରୀନ ସିଗନାଲ ଥିବାବେଳେ ପୁଣି ଥରେ ସରକାର କରିବାକୁ ଯାଉଛି NDA । ସୂଚନା ଅନୁସାରେ, ମୋଦିଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିବା NDA ମେଣ୍ଟର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ । ଯେଉଁଥିରେ ନୀତିଶ କୁମାର, ଚନ୍ଦ୍ରବାବୁ ନାଇଡୁ, ଏକନାଥ ସିନ୍ଦେ ଓ ଚିରାଗ ପାଶୱାନ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ ନୀତିଶ କୁମାର ଏକ ବଡ଼ ପଦବୀ ପାଇଁ ଦାବିଦାର ଥିବା କୁହାଯାଉଛି ।