ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ କଡା ସୁରକ୍ଷା ଯୋଗାଇ ଦିଆଯିବ। ଅମରନାଥ ଧାମ ଯାଉଥିବା ଯାତ୍ରୀଙ୍କୁ ଏବେ ତିନି ସ୍ତରୀୟ ସୁରକ୍ଷା ପ୍ରଦାନ କରାଯିବ। ଡ୍ରୋନ ଏବଂ ସିସିଟିଭି କ୍ୟାମେରା ଜରିଆରେ ଗତିବିଧି ଉପରେ ନଜର ରଖାଯିବ। ଏହା ବାଦ୍ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ଅନ୍ୟ ସମସ୍ତ ବନ୍ଦୋବସ୍ତ ମଧ୍ୟ କରାଯିବ। ଏ ନେଇ ଚାଲିଛି ମାରାଥନ ବୈଠକ।
କାଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ବିପଦର ସମସ୍ତ ଦିଗକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ଡ୍ରୋନ ହମଲା, ଷ୍ଟିକ୍ ବମ ଏବଂ ଆତଙ୍କୀ ହମଲା ପରି କୌଣସି ବି ବିପଦର ମୁକାବିଲା ପାଇଁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ନକ୍ସା ପ୍ରସ୍ତୁତ କରାଯାଇଛି। ଗତ ଏକ ମାସ ଧରି ଅମରନାଥ ଯାତ୍ରା ପାଇଁ କଡା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଏ ସଂପର୍କରେ ଅନେକ ବୈଠକ ମଧ୍ୟ ହୋଇ ସାରିଥିବା ଆଇଜି କହିଛନ୍ତି।
ବିଜୟ କୁମାର କହିଛନ୍ତି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସ୍ଵରୂପ ଡ୍ରୋନ, ସିସିଟିଭି କ୍ୟାମେରା ଜରିଆରେ ନଜର ରଖାଯିବା ସହ ଆରଏଫଆଇଡି ରଖାଯିବ। ସୂଚନାଯୋଗ୍ୟ, ନିକଟରେ ସୁରକ୍ଷାବଳ ଅମରନାଥ ଯାତ୍ରା ଉପରେ ଆତଙ୍କୀ ହମଲାର ବଡ ଷଡଯନ୍ତ୍ରକୁ ପଣ୍ଡ କରିଥିଲେ। ସୁରକ୍ଷାବଳ ପହଲଗାମରେ ତିନି ଆତଙ୍କବାଦୀଙ୍କ ନିପାତ କରିଥିଲେ।
ଅମରନାଥ ଯାତ୍ରା ଜୁନ ୩୦ରୁ ଆରମ୍ଭ ହେଉଛି ଯାହା ଅଗଷ୍ଟ ୧୧ରେ ସମାପ୍ତ ହେବ। ୪୩ ଦିନ ଧରି ଚାଲିବାକୁ ଥିବା ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢିବ ବୋଲି ଆଶା କରାଯାଉଛି। ଏଥର ରାମବନ ଏବଂ ଚନ୍ଦନଓ୍ଵାଡିରେ ବଡ କ୍ୟାମ୍ପ ଲାଗିବ। ଏହାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି।