ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ ଦିନ ପ୍ରବଳ ଛେଚିବ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପଶ୍ଚିମ- କେନ୍ଦ୍ରୀୟ ଓ ତତ-ସଂଲଗ୍ନ ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ବାୟୁମଣ୍ଡଳରେ, ସମୁଦ୍ର ପତ୍ତନ ଠାରୁ ୫.୮ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ସକ୍ରିୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।। ମୌସୁମୀଜନିତ ନିମ୍ନଚାପରେଖା ଗତକାଲିଠାରୁ ଗୁଜରାଟର ଦେସାରୁ ବାହାରି ରିଲମ୍‌, ବେତୁଲ, ବ୍ରହ୍ମପୁରୀ, ‌କାଙ୍କେର, ଆନ୍ଧ୍ରପ୍ରଦେଶର କଳିଙ୍ଗ ପାଟନମ୍‌ରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ବିଛି। ପ୍ରଭାବରେ ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର ଆଦି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖରୁ ରାଜ୍ୟରେ ଲଘୁଚାପଜନିତ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆ‌ସନ୍ତା ୨୫ ତାରିଖ ଦିନ କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି।

ଏଥିସହ ସୁବର୍ଣ୍ଣପୁର, ବୌଦ୍ଧ, କଟକ, ଖୋର୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲା ପାଇଁ ୟେ‌ଲୋୱାର୍ଣ୍ଣିଂ ଜାରି କରାଯାଇଛି। ୨୬ ଓ ୨୭ରେ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ରାଜଧାନୀ ଭୁବ‌ନେଶ୍ବରର ପାଗ ଆଂଶିକ ମେଘୁଆ ରହିବ। ମଝିରେ ମଝିରେ କିଛି ବର୍ଷା ସମ୍ଭାବନା ମଧ୍ୟ ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ରାତି ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ମଧ୍ୟରେ ରହିବ।

Leave A Reply

Your email address will not be published.