ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି କେନ୍ଦ୍ରାପଡ଼ାରେ ଅଘଟଣ । ବ୍ରାହ୍ମଣୀ ନଦୀରେ ଶୌଚ ହେଉଥିବା ବେଳେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଛି। ମୃତ ବୃଦ୍ଧ ଜଣକ ହେଉଛନ୍ତି ଘାଗରା ପଞ୍ଚାୟତ ୧ନଂ. ୱାର୍ଡର ଗଙ୍ଗାଧର ତରାଇ(୬୩)। କୁମ୍ଭୀର ଟାଣି ନେବାର ୬ ଘଣ୍ଟା ପରେ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ମିଶାଇ ଗତ ୧୫ ଦିନ ଭିତରେ ଜିଲ୍ଲାରେ କୁମ୍ଭୀର ଆକ୍ରମଣରେ ୩ ଜଣଙ୍କ ଜୀବନ ଯାଇସାରିଲାଣି ଗୁରୁବାର ଭୋର୍ ପ୍ରାୟ ୫ଟା ବେଳେ ଗଙ୍ଗାଧର ତାଙ୍କର ବନ୍ଧୁ ପତିତପାବନ ମାଝୀଙ୍କ ସହ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀ ପଠାକୁ ଶୌଚ ହେବାକୁ ଯାଇଥିଲେ। ଗଙ୍ଗାଧର ଶୌଚ ହେଉଥିବା ବେଳେ ପାଣିରେ ଥିବା ଏକ ବିରାଟ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ଚିତ୍କାର ଶୁଣି କୂଳରେ ଛିଡ଼ା ହୋଇଥିବା ପତିତପାବନ ପାଖରେ ଥିବା ଅନ୍ୟ ଲୋକମାନଙ୍କୁ ଡାକ ପକାଇଥିଲେ।
ଗ୍ରାମବାସୀ ପହଞ୍ଚି ତାଙ୍କୁ ଖୋଜାଖୋଜି କରିବା ସହ ଅଗ୍ନିଶମ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା। ଦୀର୍ଘ ୬ଘଣ୍ଟା କାଳ ଖୋଜାଖୋଜି ପରେ କୁମ୍ଭୀର ଟାଣିନେଇଥିବା ସ୍ଥଳଠାରୁ ୨ଶହ ମିଟର ଦୂରରୁ ତାଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଥିଲା। କେନ୍ଦ୍ରାପଡ଼ା ତହସିଲଦାର ଅଞ୍ଜଳି ତରାଇ ମୃତକଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ଯୋଗାଇ ଦେଇଛନ୍ତି ୧୦ ହଜାର ଟଙ୍କା ସହାୟତା।