ମେଜର ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା; ବିଚାର ବିଭାଗୀୟ ତଦନ୍ତ ଦାବି କଲେ ନବୀନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯିବା ଘଟଣାକୁ କଡା ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଥାନାରେ ଯାହା ଘଟିଲା ତାହା ଗଭୀର ଆଘାତ ଦେଇଛି।  ମେଜରଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଦିଆଯାଇଛି। ଜଣେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନା ହାଜତରେ ଦିଆଯାଇଥିବା ନିର୍ଯାତନା ନିନ୍ଦନୀୟ ବୋଲି କହିବା ସହ ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ନବୀନ ।

ତୁରନ୍ତ ଏହି ଘଟଣାର ତଦନ୍ତ ସାରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ନବୀନ । ୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାର୍‌ରେ ଯାଉଥିଲେ। କିନ୍ତୁ ମଝି ରାସ୍ତାରେ ୨ଟି କାର୍‌ରେ କିଛି ରୋଡ୍‌ ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ସଂପର୍କରେ ଅଭିଯୋଗ କରିବା ପାଇଁ ସେମାନେ ଭରତପୁର ଥାନାକୁ ଯାଇଥିଲେ।ସେଠାରେ ପୁଲିସ ଓ ସେନା ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିବା ବେଳେ ଗୁରୁବଂଶଙ୍କୁ ରାତିତମାମ୍‌ ଲକ୍‌ଅପ୍‌ରେ ରଖିଥିଲା ପୁଲିସ୍‌।

ତାଙ୍କ ବାନ୍ଧବୀଙ୍କୁ ଉପସ୍ଥିତ ପୁଲିସ କର୍ମଚାରୀ ଦୁର୍ବ୍ୟବହାର କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିବା ଗୁରୁବଂଶ ଅଭିଯୋଗ କରିଥିଲେ। କେବଳ ଏତିକି ନୁହେଁ, ଭରତପୁର ଥାନା ଆଇଆଇସି ଦୁଷ୍କର୍ମ ଧମକ ଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ ସେନା ଅଧିକାରୀ । ପରବର୍ତ୍ତୀ ସମୟରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଗିରଫ କରାଯାଇ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା। ପୁଲିସ୍‌ର ଅତ୍ୟଧିକ ମାଡ଼ରେ ଲହୁଲୁହାଣ ହୋଇ ସେ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ।

Leave A Reply

Your email address will not be published.