ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଓଡିଶା ବିଦ୍ୟୁତ ଯାନ ନୀତି-୨୦୨୧ରେ ସଂଶୋଧନ କରିବା ପରେ ରାଜ୍ୟ ସରକାର ଇଲେକ୍ଟ୍ରି ଗାଡି କିଣାରେ ରିହାତି ପରିମାଣକୁ ବୃଦ୍ଧି କରିଛନ୍ତି । ସଂଶୋଧିତ ନୀତି ଅନୁସାରେ ଏଣିକି ଦୁଇଚକିଆ ଇଲେକ୍ଟି ଗାଡି କିଣିଲେ ସର୍ବାଧିକ ୨୦ହଜାର ଟଙ୍କା, ତିନିଚକିଆ ଯାନରେ ୩୦ହଜାର ଟଙ୍କା ଓ ଚାରିଚକିଆ ଯାନରେ ଦେଢ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରିହାତି ସରକାର ଦେବେ । ଇଲେକ୍ଟ୍ରି ଯାନ କିଣାକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟ ସରକାର ୨୦୨୫ ମସିହା ସୁଦ୍ଧା ରାଜ୍ୟରେ ୨୦% ବିଦ୍ୟୁତଚାଳିତ ଯାନ ଚଳାଚଳ ଲକ୍ଷ୍ୟ ହାସଲ ପାଇଁ ଗତ ସୋମବାର ଓଡିଶା ବିଦ୍ୟୁତଚାଳିତ ଯାନ ନୀତି-୨୦୨୧ରେ ସଂଶୋଧନ କରିଛନ୍ତି ।
୨୦୨୨ ମସିହା ଶେଷସୁଦ୍ଧା ରାଜ୍ୟରେ ମାତ୍ର ୪.୪୮% ବିଦ୍ୟୁତ ଚାଳିତ ଯାନ ପଞ୍ଜିକରଣ ହୋଇଥିବାରୁ ରାଜ୍ୟ ସରକାର ବିଦ୍ୟୁତଚାଳିତ ଗାଡି କ୍ରୟ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ରିହାତି ପରିମାଣକୁ ବୃଦ୍ଧି କରିଛନ୍ତି । ଦୁଇଚକିଆ ଯାନ ଉପରେ ରିହାତି କିଲୋୱାଟ ପିଛା ୫ହଜାର ଟଙ୍କା ଓ ସର୍ବାଧିକ ୨୦ହଜାର ଟଙ୍କା ପର୍ୟ୍ୟନ୍ତ ରିହାତି ମିଳିବ । ସେହିପରି ତିନିଚକିଆ ଗାଡିରେ ୩୦ହଜାର ଟଙ୍କା(ଗାଡି ପିଛା) ରିହାତି ମିଳିବ ଏବଂ ଚାରିଚକିଆ ବିଦ୍ୟୁତଚାଳିତ ଯାନରେ କିଲୋୱାଟ ପିଛା ୧୦ହଜାର ଟଙ୍କା ହିସାବରେ ସର୍ବାଧିକ ଦେଢଲକ୍ଷ ଟଙ୍କା ପର୍ୟ୍ୟନ୍ତ ରିହାତି ମିଳିବ ।
ପୂର୍ବରୁ ରାଜ୍ୟ ସରକାର ଏହି ବିଦ୍ୟୁତାଚଳିତ ଯାନ ଉପରେ ସବସିଡି ପରିମାଣର ସର୍ବାଧିକ ୧୫% ଧାର୍ୟ୍ୟ କରିବା ସହ ଦୁଇଚକିଆ ଯାନ ଉପରେ ସର୍ବାଧିକ ୫ହଜାର ଟଙ୍କା, ୩ଚକିଆ ଯାନରେ ୧୦ହଜାର ଟଙ୍କା ଓ ଚାରିଚକିଆ ଯାନରେ ୫୦ହଜାର ଟଙ୍କା ପର୍ୟ୍ୟନ୍ତ ରିହାତି ଘୋଷଣା କରିଥଲେ ।