ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବନ୍ଧୁକଚାଳନାରେ ଚତୁର୍ଥକୁ ଉଠିଲା ଭାରତ । ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ଦଳ ବନ୍ଧୁକଚାଳନାରୁ ଐତିହାସିକ ସଫଳତା ଅର୍ଜନ କରିଛନ୍ତି। ଯୁବ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି କେବଳ ଏହି ଖେଳରୁ ୨ ସ୍ବର୍ଣ୍ଣ ଓ ୩ ରୌପ୍ୟ ଜିତିବାରୁ ଭାରତ ଏସୀୟ କ୍ରୀଡ଼ା ଇତିହାସରେ ଶ୍ରେଷ୍ଠ ସଫଳତା ଅର୍ଜନ କରିଛନ୍ତି। ଏ ପର୍ଯ୍ୟନ୍ତ ବନ୍ଧୁକଚାଳନାରୁ ଭାରତ ୬ ସ୍ବର୍ଣ୍ଣ ସହ ୧୮ ପଦକ ଜିତି ୧୭ ବର୍ଷ ତଳର କୀର୍ତ୍ତିମାନକୁ ପଛରେ ପକାଇଛି। ୨୦୦୬ ଦୋହା ଏସୀୟ କ୍ରୀଡ଼ାରେ ଭାରତ ବନ୍ଧୁକଚାଳନାରୁ ସର୍ବାଧିକ ୧୪ ପଦକ ଜିତିବା ଏ ପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଥିଲା। ସେତେବେଳେ ଯଶପାଲ ରାଣା ପ୍ରାଧାନ୍ୟ ବିସ୍ତାର କରୁଥିଲେ। ମୋଟ ଉପରେ ଭାରତ ଶୁକ୍ରବାର ଆଉ ୮ ପଦକ ଯୋଡ଼ି ୩୩ ପଦକ ସହ ଚତୁର୍ଥ ସ୍ଥାନକୁ ଉଠିଛି। ଏହା ମଧ୍ୟରେ ୮ ସ୍ବର୍ଣ୍ଣ, ୧୨ ରୌପ୍ୟ ଓ ୧୩ କାଂସ୍ୟ ପଦକ ସାମିଲ ରହିଛି। ଆୟୋଜକ ଚୀନ କିନ୍ତୁ ସ୍ବର୍ଣ୍ଣିମ ସଫଳତାରେ ଶତକ ମାଇଲଖୁଣ୍ଟ ଅତିକ୍ରମ କରିଯାଇଛି। ୧୦୫ ସ୍ବର୍ଣ୍ଣ ସହ ଏହି ଅଲିମ୍ପିକ ମହାଶକ୍ତିର ଦେଶ ୨୦୦ ପଦକ ଜିତି ସାରିଛି। ପୂର୍ବଦିନ ଭଳି ବଂଧୁକଚାଳନାରୁ ହିଁ ଭାରତ ସ୍ବର୍ଣ୍ଣିମ ସଫଳତା ପାଇଥିଲା।
୧୦ ମିଟର୍ ଏୟାର ପିସ୍ତଲ୍ ବ୍ୟକ୍ତିଗତ ମହିଳା ବର୍ଗରେ ଭାରତୀୟ ଯୋଡ଼ି ପଲକ ଗୁଲିଆ ଓ ଈଶା ସିଂହ ଯଥାକ୍ରମେ ୧-୨ ସ୍ଥାନ ଦଖଲ କରି ସ୍ବର୍ଣ୍ଣ-ରୌପ୍ୟ ଜିତିବାର ବିରଳ ସଫଳତା ଆଣିଥିଲେ। ୧୭ ବର୍ଷୀୟ ପଲକ ଏଥି ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏହା ତାଙ୍କ ପ୍ରଥମ ବରିଷ୍ଠ ବର୍ଗର ଅନ୍ତର୍ଜାତୀୟ ବ୍ୟକ୍ତିଗତ ପଦକ ଥିଲା। ୨୪୨.୧ ପଏଣ୍ଟର ଏସୀୟ କ୍ରୀଡ଼ା ରେକର୍ଡ ସହିତ ସେ ଏହି ସ୍ବର୍ଣ୍ଣ ପଦକ ଜିତିଥିଲେ। ଗୁରୁବାର ୨୫ ମିଟର୍ ପିସ୍ତଲ୍ରେ ରୌପ୍ୟ ପଦକ ଜିତିଥିବା ଈଶା କ୍ରମାଗତ ଦ୍ବିତୀୟ ଦିବସରେ ସମାନ ସଫଳତା ପାଇଥିଲେ। ଅନ୍ୟପକ୍ଷରେ ଈଶାଙ୍କୁ ଚାଲେଞ୍ଜ ଦେଇଥିବା ପାକିସ୍ତାନର ତଲାତ କିଶମାଲା କାଂସ୍ୟ ପଦକ ଜିତିଥିଲେ। ଏହା ପରେ ଭାରତୀୟ ପୁରୁଷ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲେ। ଐଶ୍ବର୍ଯ୍ୟ ପ୍ରତାପ ସିଂହ ତୋମାର (୫୯୧), ସ୍ବପ୍ନୀଲ କୁସାଲେ (୫୯୧) ଏବଂ ଆଖିଳ ସେରାନ୍ (୫୮୭) ବିଶ୍ବ ରେକର୍ଡ (୧୭୬୯) ସହ ଏହି ସ୍ବର୍ଣ୍ଣ ପଦକ ଯୋଡ଼ିଥିଲେ। ସ୍ବପ୍ନୀଲ ବ୍ୟକ୍ତିଗତ ଭାବେ ଏସୀୟ କୀର୍ତିମାନ ମଧ୍ୟ କରିଥିଲେ। ପିଲାଙ୍କ ଚେହେରା ଭଳି ଦେଖାଯାଉଥିବା ୨୨ ବର୍ଷୀୟ ଐଶ୍ବର୍ଯ୍ୟ ବ୍ୟକ୍ତିଗତ ରାଇଫଲ୍-୩ ପୋଜିସନ୍ରେ ଆଉ ଏକ ରୌପ୍ୟ ପଦକ ଜିତିଥିଲେ। ସେହିଭଳି ଈଶା ସିଂହ, ପଲକ ଗୁଲିଆ ଏବଂ ଦିବ୍ୟା ଟିଏସଙ୍କୁ ନେଇ ଗଠିତ ଭାରତୀୟ ଦଳ ୨୩୯.୭ ପଏଣ୍ଟ ସ୍କୋର୍ କରି ୧୦ ମିଟର୍ ଏୟାର୍ ପିସ୍ତଲ୍ ଦଳଗତ ବର୍ଗରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ।