ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଦିନିକିଆ ଆଜି । ପ୍ରଥମ ମ୍ୟାଚ୍ରେ ବ୍ୟାଟିଂ କ୍ରମକୁ ନେଇ ପରୀକ୍ଷା ନିରୀକ୍ଷା କରିବା ପରେ ଶନିବାର ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆରେ ଭାରତୀୟ ଦଳ ଅସଲ ବ୍ୟାଟିଂ କ୍ରମକୁ ନେଇ ଖେଳିବାକୁ ଓହ୍ଲାଇପାରେ। କାରଣ ଦ୍ବିତୀୟ ମ୍ୟାଚ୍ ଜିତିଲେ ଭାରତ ଆଗୁଆ ଶୃଙ୍ଖଳା ଜିତିପାରିବ। ଏଥିସହିତ ଗୋଟିଏ ସ୍ଥାନରେ ମ୍ୟାଚ୍ ହେଉଥିବାରୁ ପ୍ରଥମ ମ୍ୟାଚ୍ର ପରିଣାମକୁ ଦେଖି ଯଦି ୱେଷ୍ଟଇଣ୍ଡିଜ୍ ଟସ୍ ଜିତି କ୍ଷେତ୍ରରକ୍ଷଣ କରିବାକୁ ଚାହିଁବ, ତାହେଲେ ଭାରତ ପକ୍ଷରେ ଆଉ ପରୀକ୍ଷା କରିବା ପରିବର୍ତ୍ତେ ଅସଲ ବ୍ୟାଟିଂ କ୍ରମରେ ଖେଳି ବୋର୍ଡରେ ବଡ଼ ରନ୍ କରିବାକୁ ଚାହିଁବ। କେବେଳ ଏତିକି ନୁହେଁ ବିଶ୍ବକପ୍ ପୂର୍ବରୁ ପ୍ରତ୍ୟେକ ମ୍ୟାଚ୍ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଯେଉଁମାନେ ବି ସୁଯୋଗ ପାଉଛନ୍ତି, ସେମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ପ୍ରଥମ ମ୍ୟାଚ୍ରେ ମାତ୍ର ୧୧୫ ରନ୍କୁ ପିଛା କରିଥିଲେ ବି କେବଳ ଈଶାନ କିଶନ (୫୨) ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଅଧିକ ସମୟ ପିଚ୍ରେ ରହିପାରିନଥିଲେ। ବିଶ୍ବକପ୍ରେ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ। ଏଥିପୂର୍ବରୁ ଆଉ ୧୧ ଟି ଦିନିକିଆ ଖେଳି ନିଜ ଦଳକୁ ପରଖିବାକୁ ହେବ। ତେଣୁ କିଏ କେଉଁ ସ୍ଥାନ ପାଇଁ ଉପଯୁକ୍ତ ତାହା ଏହି ସମୟରୁ ହିଁ ବାଛିବାକୁ ହେବ। ଅତ୍ୟଧିକ ପରୀକ୍ଷା ନୀରିକ୍ଷା କରିବା ଦ୍ବାରା ଦଳର ପ୍ରଦର୍ଶନକୁ ତାହା ପ୍ରଭାବିତ କରିବା ଆଶଙ୍କା ରହିଛି। ବ୍ରିଜଟାଉନ୍ର କେନସିଙ୍ଗଟନ୍ ଓଭାଲ୍ ପଡ଼ିଆରେ ଗୁରୁବାର ଖେଳାଯାଇଥିବା ପିଚ୍ ପରିବର୍ତ୍ତେ ଦ୍ବିତୀୟ ପିଚ୍ରେ ଶନିବାର ମ୍ୟାଚ୍ ଖେଳାଯିବ। ଯଦିଓ ପିଚ୍ ଅଲଗା ହେଉଛି, କିନ୍ତୁ ଏହାର ବ୍ୟବହାର ପ୍ରାୟତଃ ସମାନ ରହିବ। ତେଣୁ ଭାରତ ପଛରେ ବ୍ୟାଟିଂ କରିବାକୁ ସୁଯୋଗ ପାଇଲେ କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ପ୍ରଥମେ ବ୍ୟାଟିଂ କଲେ ବାମହାତୀ ସ୍ପିନର ଗୁଡ଼କେଶ ମୋତି ଓ ୟାନିକ୍ କାରିଆଙ୍କ ଲେଗ୍ ସ୍ପିନ୍ଙ୍କୁ ସାମ୍ନା କରିବା ଭାରତୀୟ ବ୍ୟାଟରଙ୍କୁ ସମସ୍ୟା ହୋଇପାରେ। କାରିବିୟାନ୍ର ଟର୍ଣ୍ଣିଂ ପିଚ୍ରେ ସ୍ପିନରଙ୍କୁ ଠିକ୍ ଭାବେ ଖେଳିବାରେ ଭାରତୀୟମାନେ ଏପର୍ଯ୍ୟନ୍ତ ଅଭ୍ୟସ୍ତ ହୋଇପାରିନାହାନ୍ତି। ତେଣୁ ଭାରତ ପ୍ରଥମେ ବ୍ୟାଟିଂ କଲେ ଗୁରୁବାର ମ୍ୟାଚ୍ ସ୍ଥିତି ଭଳି ଭାରତୀୟଙ୍କ ଅବସ୍ଥା ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।
ଅନ୍ୟପକ୍ଷରେ ଭାରତୀୟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଏବେବି ଆକର୍ଷଣରେ ଅଛନ୍ତି। ଗୁରୁବାର କିଛି ଭଲ ସଟ୍ ଖେଳିଥିଲେ ବି ଆତ୍ମବିଶ୍ବାସର ଅଭାବ ସ୍ପଷ୍ଟ ବାରି ହୋଇପଡୁଥିଲା। ଏହି ଶୃଙ୍ଖଳା ହିଁ ତାଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ। ଯଦି କେଏଲ୍ ରାହୁଲ ଓ ଶ୍ରେୟସ ଆୟର ଫିଟ୍ ହୋଇ ଦଳକୁ ଫେରନ୍ତି, ତାହେଲେ ପ୍ରଥମେ ସୂର୍ଯ୍ୟ ହିଁ ବାଦ୍ ପଡ଼ିବେ। ତେଣୁ ନିଜ ସ୍ଥାନ ପକ୍କା କରିବାକୁ ହେଲେ ତାଙ୍କ ବ୍ୟାଟ୍ରୁ କିଛି ବଡ଼ ପାଳି ବାହାରିବା ଆବଶ୍ୟକ। ସେହିପରି ପଦାର୍ପଣକାରୀ ମୁକେଶ କୁମାର ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି। ତଥାପି ମହମ୍ମଦ ସାମି, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ ଦଳକୁ ଫେରିବା ପୂର୍ବରୁ ମୁକେଶଙ୍କୁ ଅଧିକ ୱିକେଟ୍ ବାହାର କରି ଚୟନକର୍ତ୍ତାଙ୍କୁ ଦ୍ବନ୍ଦ୍ବରେ ପକାଇବା ଆବଶ୍ୟକ ରହିଛି। ଲାଇନ୍ ଓ ଲେନ୍ଥ ବହୁତ ଭଲ ରହୁଥିଲେ ବି ୱିକେଟ୍ ପାଇବା ପାଇଁ ସେ ସଂଘର୍ଷ କରୁଛନ୍ତି। ତେଣୁ ତାଙ୍କ ପାଇଁ ବି ଆସନ୍ତା ଦୁଇ ମ୍ୟାଚ୍ ବହୁତ ଗୁରୁତ୍ବପୂର୍ଣ୍ଣ। ଏପରିକି ଯେପର୍ଯ୍ୟନ୍ତ ଉକ୍ତ ତିନି ଦ୍ରୁତ ବୋଲର ଦଳକୁ ଫେରିନାହାନ୍ତି ଏବଂ ଭାରତ ଆଉ ଜଣେ ଅତିରିକ୍ତ ସ୍ପିନରଙ୍କୁ ଦଳରେ ନନେଇଛି, ସେଯାଏଁ ମୁକେଶଙ୍କୁ ସୁଯୋଗ ମିଳୁଥିବ। କେବଳ ତାହାର ଫାଇଦା ଉଠାଇବା ଆବଶ୍ୟକତା ରହିଛି।