ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜୋହାନ୍ସବର୍ଗର ଆୟୋଜିତ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରିକ୍ସ ବ୍ୟବସାୟିକ ମଞ୍ଚରେ ନରେନ୍ଦ୍ର ମୋଦୀ ହିନ୍ଦୀରେ ଅଭିଭାଷଣ ରଖି କହିଛନ୍ତି, ବିଶ୍ୱର ଅଭିବୃଦ୍ଧିରେ ଭାରତ ହେବ ଇଞ୍ଜିନ । ଭାରତର ଅଭିବୃଦ୍ଧିରେ ବ୍ରିକ୍ସର ଅବଦାନ ରହିଛି କହି ପ୍ରଶଂସା କରିଛନ୍ତି । ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି । ଖୁବଶୀଘ୍ର ଭାରତ ୫ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବ । ଦଶ ବର୍ଷ ମଧ୍ୟରେ ଆମର ଅର୍ଥନୈତିକ ସହଯୋଗ ବୃଦ୍ଧିରେ ବ୍ରିକ୍ସ ବିଜନେସ ଫୋରମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆଗାମୀ ବର୍ଷରେ ଭାରତ ବିଶ୍ୱର ଅଭିବୃଦ୍ଧି ଇଞ୍ଜିନ ହେବ କାରଣ ଆମେ ବିପର୍ୟ୍ୟୟର ସମୟ ଏବଂ ଅସୁବିଧାକୁ ଅର୍ଥନୈତିକ ସଂସ୍କାରର ସୁଯୋଗରେ ପରିଣତ କରିଛୁ । ସେହିପରି ବିଶ୍ୱର ସର୍ବାଧିକ ସଂଖ୍ୟକ ଡିଜିଟାଲ କାରବାର ହେଉଥିବା ଦେଶ ହେଉଛି ଭାରତ । ୟୁଏଇ, ଫ୍ରାନ୍ସ ଏବଂ ସିଙ୍ଗାପୁର ଭଳି ଦେଶ ଏବେ ଭାରତର ୟୁପିଆଇ ପ୍ଲାଟଫର୍ମ ସହିତ ଜଡିତ ବୋଲି କହିଛନ୍ତି ।